ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାକୁ ଅନୁମତି ଦେଲାନି ପୁରୀ ପ୍ରଶାସନ

ପୁରୀ ଅଫିସ,୨୬।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ଓ ଶହେ ମିଟର ପରିଧି ମଧ୍ୟରେ ବ୍ୟାପକ ଖନନକୁ ବିରୋଧ କରି ବୁଧବାର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ନେତୃତ୍ୱରେ ପୁରୀ ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ପ୍ରସ୍ତାବିତ ପଦଯାତ୍ରାକୁ ଅନୁମତି ଦେଇନାହାନ୍ତି। ଆଇନଶୃଙ୍ଖଳା ପରିସ୍ଥିତିର ଦ୍ୱାହି ଦେଇ ଜିଲାପାଳ ପ୍ରସ୍ତାବକୁ ନାମୁଞ୍ଜର କରିଥିବା ସୂଚନା ମିଳିଛି। ଏ ନେଇ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ଆବାହକ ବିନୟ ନୃସିଂହ ମହାପାତ୍ର କହିଛନ୍ତି, ପଦଯାତ୍ରା ପାଇଁ ପ୍ରଶାସନକୁ ଅନୁମତି ମଗାଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅନୁମତି ମିଳିନାହିଁ। ଏଣୁ ପଦଯାତ୍ରାରେ ଯୋଗଦେବାକୁ ଥିବା ଜଗନ୍ନାଥ ପ୍ରେମୀମାନଙ୍କୁ ଅନୁରୋଧ ସେମାନେ ପଦଯାତ୍ରା ଉଦ୍ଦେଶ୍ୟରେ ବୁଧବାର ଶ୍ରୀକ୍ଷେତ୍ର ଆସନ୍ତୁ ନାହିଁ। ପଦଯାତ୍ରା କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉଛି। ଏନେଇ ବୈଠକ କରି ଆଗାମୀ ସମୟରେ କେବେ ପଦଯାତ୍ରା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ। ପ୍ରଶାସନଠାରୁ ଅନୁମତି ମିଳିବା ପରେ ପଦଯାତ୍ରା କରାଯିବ। ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ପଦଯାତ୍ରା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଏହାସହ ଅନେକ ଭକ୍ତ ଓ ଜଗନ୍ନାଥ ପ୍ରେମୀମାନେ ନିଜ ଆଡୁ ଏହି ପଦଯାତ୍ରାରେ ଆମ ସହ ଯୋଡ଼ିହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏମ୍‌ପି ଷଡ଼ଙ୍ଗୀ ବୁଧବାର ପୁରୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିବେ ବୋଲି ଟୁଇଟ୍‌ କରି ସ୍ପଷ୍ଟ କରିଥିବା ଜଣାପଡ଼ିଛି।

Share