ଗଛ ତଳେ କ୍ୱାରେଣ୍ଟିନ୍‌ ଥିଲେ କରୋନା ଆକ୍ରାନ୍ତ

କୋକସରା, ୨।୫: କଳାହାଣ୍ଡି ଜିଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ହେବା ପରେ ସଂଘରୋଧରେ ରହିବା ପାଇଁ ଘରେ କୌଣସି ସୁବିଧା ନ ଥିବାରୁ ଗାଁମୁଣ୍ଡ ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ। ଘଟଣା ୩ ଦିନ ପରେ ଲୋକଲୋଚନକୁ ଆସିବାରୁ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ରବିବାର ଯୁବକଙ୍କୁ ଉଦ୍ଧାର କରି କୋଭିଡ୍‌ ଡାକ୍ତରଖାନାକୁ ପଠାଇଛି। ସୂଚନା ଅନୁସାରେ, ଡାଲଗୁମା ପାଞ୍ଚାୟତ ଛିଲିପାମାଲ ଗ୍ରାମର ଯୁବକ କ୍ଷୀରୋଦ ନାଏକ(୨୩) କିଡ୍‌ନୀ ରୋଗରେ ପୀଡ଼ିତ ଥିବା ମା’ ସୁନାଦେଇ ନାଏକ(୪୫)ଙ୍କୁ ଚିକିତ୍ସା ପାଇଁ କିଛିଦିନ ତଳେ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଏହା ମଧ୍ୟରେ କ୍ଷୀରୋଦ ଅସୁସ୍ଥତା ଅନୁଭବ କରିବାରୁ ଗତ ୨୮ ତାରିଖରେ ଆଣ୍ଟିଜେନ ପରୀକ୍ଷାରୁ କୋଭିଡ୍‌ ଚିହ୍ନଟ ପରେ ଗାଁକୁ ଫେରି ଆସିଥିଲେ। ନିଜ ଦୁଇ ବଖରା ଘରେ ସଂଘରୋଧରେ ରହିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ଓ ପରିବାର ସୁରକ୍ଷା ଦୃଷ୍ଟିରୁ ସେ ଗାଁ ମୁଣ୍ଡରେ ଥିବା ଏକ ବରଗଛ ତଳେ ଗତ ୩ ଦିନ ହେବ ରହିଥିଲେ। ରାତିରେ ନିକଟରେ ଥିବା ଧାନ ଖଳା ପିଣ୍ଡିରେ ଶୋଉଥିଲେ। ଏଭଳି ଘଟଣା ଶନିବାର ଜଣାପଡ଼ିବା ପରେ ରବିବାର ବ୍ଲକ ପ୍ରଶାସନ ଓ କୋକସରା ସ୍ବାସ୍ଥ୍ୟ ବିଭାଗ ଆକ୍ରାନ୍ତ ଯୁବକଙ୍କୁ ଉଦ୍ଧାର କରି ପର୍ଲା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିିଛି। ଆକ୍ରାନ୍ତ ଯୁବକ ଡାଲଗୁମା ସରପଞ୍ଚଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏ ନେଇ କୋକସରା ବିଡିଓ ମନୀଷା ଦାସଙ୍କୁ ପଚାରିବାରୁ ଆମ ପାଖରେ ଖବର ନ ଥିଲା। ଭବାନୀପାଟଣାରେ ସଂକ୍ରମିତ ହୋଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଘରକୁ ଆସିଥିଲେ। ଅସୁବିଧା ବିଷୟରେ ମଧ୍ୟ ସେ ଆମକୁ ଜଣାଇ ନ ଥିଲେ, ଖବର ଜାଣିବା ପରେ ଆମେ ତାଙ୍କୁ ପର୍ଲା କୋଭିଡ୍‌ ହସ୍ପିଟାଲକୁ ପଠାଇଛୁ।

Share