Categories: ଖେଳ

କରୋନାରୁ ଆରୋଗ୍ୟ ହେଲେ ରାନୀ, ଅନ୍ୟ ୬ ଖେଳାଳି

ନୂଆଦିଲ୍ଳୀ,୯।୫(ପି.ଟି.): କୋଭିଡ୍‌-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଭାରତୀୟ ମହିଳା ହକି ଦଳର ଖେଳାଳିମାନେ। ଅଧିନାୟିକା ରାନୀ ରାମପଲ, ଅନ୍ୟ ୬ଜଣ ଖେଳାଳିଙ୍କ ସମେତ ଦୁଇଜଣ ସପୋର୍ଟ ଷ୍ଟାଫ୍‌ ମଧ୍ୟ ଏହି ମହାମାରୀରୁ ମୁକ୍ତ ହୋଇଛନ୍ତି। ଏମାନେ ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିଥିଲେ।
ଆରୋଗ୍ୟ ଲାଭ କରିଥିବା ଅନ୍ୟ ୬ ମହିଳା ଖେଳାଳିମାନେ ହେଲେ ସବିତା ପୁନିଆ, ଶର୍ମିଲା ଦେବୀ, ରଜନୀ, ନଭଜୋତ କୌର, ନବନୀତ କୌର ଓ ସୁଶୀଳା। ଦୁଇ ସପୋର୍ଟ ଷ୍ଟାଫ୍‌ ହେଲେ ଭିଡିଓ ଆନାଲିଷ୍ଟ ଅମୃତ ପ୍ରକାଶ ଓ ସାଇଣ୍ଟିଫିକ୍‌ ଆଡଭାଇଜର ଓ୍ବେନ ଲାମ୍ବୋର୍ଡ। ବେଙ୍ଗାଲୁରୁରେ ଏପ୍ରିଲ ୨୪ରେ ଅନୁଷ୍ଠିତ ହୋଇଥିତ୍ବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପରେ ଏମାନଙ୍କର ଟେଷ୍ଟ କରାଯାଇଥିଲା। ହେଲେ ଏହି ଖେଳାଳିମାନଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳ ନ ଥିଲା। ଏହି ଖରାପ ସମୟରେ ସହଯୋଗ କରିଥିବାରୁ ରାନୀ ଟୁଇଟ୍‌ କରି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଖେଳାଳିମାନଙ୍କର ଉଚିତ ଯତ୍ନ ନିଆଯାଇଥିବାରୁ ରାନୀ ଖାସ୍‌ କରି ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି। ଦେଶ ଏବେ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି କଷ୍ଟକର ସମୟରେ ସମସ୍ତେ ଏକାଠି ହୋଇ ଲଢେଇ ଜାରି ରଖିବା ଆବଶ୍ୟକ। ମାସ୍କ ପିନ୍ଧି କୋଭିଡ୍‌-୧୯ର ସବୁ ନିୟମକୁ ମାନିବା ପାଇଁ ରାନୀ ସମସ୍ତଙ୍କୁ ନିବେଦନ କରିଛନ୍ତି।

Share