ମେଣ୍ଟ ଉପରେ ମନମୋହନ ସାମଲଙ୍କ ଏପଟସେପଟ କଥାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୧୪।୩: ରାଜ୍ୟରେ ମେଣ୍ଟକୁ ନେଇ ଦ୍ୱନ୍ଦ ବଢିବାରେ ଲାଗିଛି। ଗୋଟିଏ ପଟେ ଭାଜପା ସଭାପତି ମନମୋହନ ସାମଲଙ୍କ ଏପଟସେପଟ କଥା ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିବା ନେଇ ମେଣ୍ଟକୁ ନେଇ ଚର୍ଚ୍ଚା ଆହୁରି ବଢିଛି। ଭାଜପା ସଭାପତି ମନମୋହନ ଆଜି ଦିଲ୍ଲୀରୁ ଫେରିବା ପରେ ପ୍ରଥମେ କହିଲେ, ପ୍ରୋସେସ ବା ପ୍ରକ୍ରିୟା ଚାଲିଛି। ତା’ର କିଛି ସମୟ ପରେ କହିଲେ ଆମେ ଏକା ଲଢିବୁ। ଏବେ କହିଲେଣି ନିଷ୍ପତ୍ତି ହାଇକମାଣ୍ଡ ନିଷ୍ପତ୍ତି ନେବେ। ପୁଣି ମନମୋହନ ଏକାକୀ ଲଢିବା ନେଇ ଟୁଇଟ କରିବା ପରେ ତାହାକୁ ଡିଲିଟ କରିବାକୁ ନେଇ ପ୍ରଶ୍ନ ଉଠୁଛି। ଏବେ ଚର୍ଚ୍ଚା ହେଉଛି, ମନମୋହନ ସାମଲଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି। କେବଳ ଏତିକି ନୁହେଁ, ପୁଣି ତାଙ୍କୁ ଦିଲ୍ଲୀ ଯିବା ପାଇଁ ଡାକରା ଆସିଥିବା ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ମନମୋହନ ଦିଲ୍ଲୀରୁ ଫେରିବା ପରେ କହିଥିଲେ, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି, ଆମେ ସବୁ ବିଷୟରେ ଆଲୋଚନା କରୁଛି। ତାହାର କିଛି ସମୟ ପରେ ମନମୋହନ କଥା ପରିବର୍ତ୍ତନ କରି କହିଥିଲେ ଆମେ ଏକୁଟିଆ ଲଢିବୁ ଏବଂ ସରକାର ବି ଗଠନ କରିବୁ। ଏହାକୁ ନେଇ ସେ ଏକ ଟୁଇଟ୍‌ ମଧ୍ୟ କରିଥିଲେ। ଟୁଇଟ୍‌ରେ ସେ ଲେଖିଥିଲେ, ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ଭାଜପା ଏକାକୀ ନିର୍ବାଚନ ଲଢିବ ଏବଂ ସରକାର ମଧ୍ୟ କରିବ। ଏହି ଟୁଇଟ୍‌ କରିବାର କିଛି ସମୟ ପରେ ସେ ଏହାକୁ ଡିଲିଟ୍‌ କରିଦେଇଥିଲେ।

ସୂଚନାଯୋଗ୍ୟ,ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛି। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ସେପଟେ ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ ଛିଡୁନି।

ଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ରାଜନୀତିରେ ଗୁଜବ ଓ ମିଛ କଥା ସବୁଠାରୁ ଖରାପ ଜିନିଷ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ମେଣ୍ଟକୁ ନେଇ ସସପେନ୍ସ ଆହୁରି ବଢିଥିଲା।

Share