ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନବମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ପରୀକ୍ଷାର କିଛିଘଣ୍ଟା ପୂର୍ବରୁ ପ୍ରଶ୍ନ ଓ ଉତ୍ତରର ଏକ ଭିଡିଓ ୟୁଟ୍ୟୁବ୍‌ ମାଧ୍ୟମରେ ଅପଲୋଡ୍‌ କରାଯାଇଥିବା ଦେଖିବାକୁ ମିଳିଛି। ଗତ ତିନିଦିନ ହେବ ନବମ ଶ୍ରେଣୀ ସମ୍ମେଟିଭ-୧ ଆରମ୍ଭ ହୋଇଛି। ଇଂଲିଶ, ସାହିତ୍ୟ ବିଷୟରେ ପରୀକ୍ଷା ଶେଷ ହୋଇଥିବାବେଳେ ଶନିବାର ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଥିଲା। ତେବେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ୟୁଟ୍ୟୁବ୍‌ରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଏପରିକି ଉକ୍ତ ପ୍ରଶ୍ନର ଉତ୍ତର କ’ଣ ରହିବ ତାହା ମଧ୍ୟ ଉକ୍ତ ଭିଡିଓରେ ଦର୍ଶାଯାଇଥିଲା। ଏହା ଜଣାପଡିବା ପରେ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶ୍ନପତ୍ର କିପରି ବାହାରକୁ ଆସିଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଏ ବିଷୟରେ ଆମେ ଅବଗତ ଅଛୁ। ୟୁଟ୍ୟୁବ୍‌ ମାଧ୍ୟମରେ ଏହା ତାଙ୍କ ନଜରକୁ ଆସିଛି। ତେବେ କେଉଁଠୁ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି, ସେ ନେଇ ତଦନ୍ତ କରିବାକୁ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପ୍ରଶ୍ନପତ୍ର ପ୍ରସ୍ତୁତ କରେ। ତାହାକୁ ସିଲ୍‌ କରାଯାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲଗୁଡ଼ିକୁ ପଠାଯାଇଥାଏ। ପରୀକ୍ଷାର କିଛି ସମୟ ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ସିଲ୍‌ ଖୋଲିଥାନ୍ତି। ଏ କ୍ଷେତ୍ରରେ ଗୋପନୀୟତା ଅବଲମ୍ବନ କରାଯାଇଥାଏ। ଏଭଳି ସ୍ଥିତିରେ ପ୍ରଶ୍ନପତ୍ର କିଭଳି ବାହାରକୁ ଗଲା ଏବଂ କିଏ ଭାଇରାଲ କଲେ, ତାକୁ ନେଇ ବୋର୍ଡ ଅଡୁଆରେ ପଡ଼ିଛି। ସବୁଠାରୁ ବଡ଼ କଥା ହେଲା, କେବଳ ସଂସ୍କୃତ ଓ ହିନ୍ଦୀ ନୁହେଁ, ଏହା ପୂର୍ବରୁ ଯେଉଁ ଦୁଇଟି ବିଷୟରେ ପରୀକ୍ଷା ହୋଇଥିଲା, ତା’ର ପ୍ରଶ୍ନପତ୍ର ମଧ୍ୟ ପରୀକ୍ଷା ପୂର୍ବରୁ ଭାଇରାଲ ହୋଇଥିଲା।

Share