ପାର୍ଟନରଠାରୁ ଟଙ୍କା ଆଦାୟ ଲାଗି ସୁପାରୀ ଦେଇଥିଲେ ରେଲ୍‌ଓ୍ବେ ଇଞ୍ଜିନିୟର

ସମ୍ବଲପୁର,୨୫ା୩(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଥାନା ଦାନିପାଲିରେ ଘରେ ପଶି ମହିଳାଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାଶ୍‌ କରିଛି ପୋଲିସ । ଜମି ବ୍ୟବସାୟରେ ଦୁଇ ପାର୍ଟନର ଡବ୍ଳ୍ୟୁ ଝା ଓ ସନ୍ତୋଷ କୁମାର ପ୍ରଜାପତିଙ୍କ ମଧ୍ୟରେ ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା। ୧୧ ଲକ୍ଷ ଟଙ୍କା ଅସୁଲି ପାଇଁ ସନ୍ତୋଷ ଭଡାଟିଆ ଗୁଣ୍ଡା ନିୟୋଜିତ କରିଥିଲେ। ସେମାନେ ଟଙ୍କା ଅସୁଲି କରିବାକୁ ଯାଇ ଡବ୍ଲ୍ୟୁଙ୍କ ମା’ରେଖାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଗୁରୁବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଗୋପାଲମାଲର ସୁପାରୀ ନେଇଥିବା ଗୁଣ୍ଡା ଶିବଶଙ୍କର ବାଗ(୩୪), ଅଙ୍କିତ ସିଂ(୨୬), ମନୋରଞ୍ଜନ ମହାକୁଡ(୩୦), କୁନୁ ହରିପାଲ(୫୦) ଓ ପାର୍ଟନର ସନ୍ତୋଷ ପ୍ରଜାପତି(୫୦)। ସନ୍ତୋଷ ରେଲୱେ ଇଞ୍ଜିନିୟର ଭାବେ କାମ କରନ୍ତି। ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର, ନଗଦ ୮ ହଜାର ୪୦୦ ଶହ ଟଙ୍କା, ୨ ନମ୍ବର ବିହୀନ ବାଇକ୍‌ ପୋଲିସ ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୧୪୯/୨୧) ରୁଜୁ ହୋଇଛି। ଘଟଣାରେ ଅସମ୍ପୃକ୍ତ ୩ରୁ ଅଧିକ ଅଭିଯୁକ୍ତ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଜିଲାରେ ଦାଦାବଟି, ଟଙ୍କା ଅସୁଲି, ସୁପାରୀ ନେବା ଭଳି ଆପରାଧିକ କାର୍ଯ୍ୟ କରାଯାଉଛି। ଏଭଳି ଘଟଣା ସାମ୍ନାକୁ ଆସିଷଳ ଥାନାରେ ଅଭିଯୋଗ କରିବାକୁ ଏସ୍‌ପି ଅନୁରୋଧ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡା, ଅଇଁଠାପାଲି ଥାନା ଅଧିକାରୀ ଯୋଗେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ ତାରିଖରେ ଅଭିଯୁକ୍ତମାନେ ଦାନିପାଲିସ୍ଥିତ ଡବ୍ଲ୍ୟୁଙ୍କ ଘରକୁ ଆସିଥିଲେ। ସେଠାରେ ଡବ୍ଳ୍ୟୁଙ୍କୁ ନ ପାଇବାରୁ ତାଙ୍କ ମା’ ରେଖା ଓ ଭଉଣୀ ରିଙ୍କିଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ରିଙ୍କି ଥାନାରେ ଅଭିଯୋଗ କରିଥିଲେ।

Share