ଝାରତରଭାକୁ ପରୀକ୍ଷାମୂଳକ ଭାବେ ରେଳ ଚାଲିଲା

ସୋନପୁର/ତରଭା,୧୧।୧୧(ନି.ପ୍ର./ଡି.ଏନ.ଏ.): ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅନ୍ତର୍ଗତ ବିଛୁପାଲିରୁ ଝାରତରଭା ଷ୍ଟେଶନ ମଧ୍ୟରେ ୧୦ କିଲୋମିଟର ନୂଆ ରେଳ ଲାଇନର ଗୁରୁବାର ସିଆର୍‌ଏସ୍‌ ଯାଞ୍ଚ ହୋଇଛି। ଦକ୍ଷିଣ ପୂର୍ବ ସର୍କଲର ରେଳ ନିରାପତ୍ତା ଆୟୁକ୍ତ(ସିଆର୍‌ଏସ୍‌) ଏ.ଏମ୍‌.ଚୌଧୁରୀ ଅପରାହ୍ନରେ ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ବିଛୁପାଲି-ଝାରତରଭା ଲାଇନର ଯାଞ୍ଚ କରିଛନ୍ତି। ରେଳ ନିରାପତ୍ତା ଆୟୁକ୍ତ ବରିଷ୍ଠ ଅଧିକାରୀଙ୍କ ସହିତ ବିଛୁପାଲିରୁ ଏକ ଟ୍ରଲିରେ ଆସି ଝାରତରଭା ପର୍ଯ୍ୟନ୍ତ ନୂଆ ରେଳ ଲାଇନର ନିରାପତ୍ତା ଯାଞ୍ଚ କରିଥିଲେ। ପରେ ଚୌଧୁରୀ ସୁବର୍ଣ୍ଣପୁର ଜିଲା ଝାରତରଭା ଷ୍ଟେଶନ ପରିଦର୍ଶନ କରିଥିଲେ। ଉକ୍ତ ଷ୍ଟେଶନରେ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବାକୁ ଥିବା ବିଭିନ୍ନ ସୁବିଧା ଏବଂ ଏଠାରେ ନିର୍ମାଣାଧୀନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ନିରୀକ୍ଷଣ କରିଥିଲେ। ସିଆର୍‌ଏସ୍‌ ଚୌଧୁରୀ ପୁଣି ଏକ ରେଳରେ ବସି ଉକ୍ତ ଦୁଇ ଷ୍ଟେଶନ ମଧ୍ୟରେ ଘଣ୍ଟାପ୍ରତି ୧୧୦ କିଲୋମିଟର ସ୍ପିଡ୍‌ ଟ୍ରାଏଲ କରିଥିଲେ। ପରୀକ୍ଷାମୂଳକ ଭାବେ ରେଳ ଚାଲିବା ଓ ରେଳ ଲାଇନର ନିରାପତ୍ତା ଯାଞ୍ଚ ସମୟରେ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ବିନୀତ ସିଂ, ସିଏଓ ଅମର ପ୍ରସାଦ ଦ୍ୱିବେଦୀ, ଚିଫ୍‌ ଇଞ୍ଜିନିୟର ଇଲେକ୍ଟ୍ରିକାଲ ଏ.କେ.ସାମଲ, ସିନିୟର ଡିଏମ କୋଅର୍ଡିନେସନ ଟି.ଡି.ସାହୁ, ସିଗନାଲ, ଇଲେକ୍ଟ୍ରିକାଲ ଓ ବ୍ରିଜ୍‌ କନଷ୍ଟ୍ରକଶନ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।
ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ ଝାରତରଭା ବଲାଙ୍ଗୀର ପଟୁ ତୃତୀୟ ଷ୍ଟେଶନ ହେବ। ପୂର୍ବରୁ ବଲାଙ୍ଗୀରରୁ ବିଛୁପାଲି ମଧ୍ୟରେ ୧୫.୮ କିଲୋମିଟର ରେଳ ଲାଇନ କାର୍ଯ୍ୟକ୍ଷମ ହୋଇ ସାରଛି। ଏବେ ବିଛୁପାଲି ଝାରତରଭା ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଛି। ସିଆର୍‌ଏସ୍‌ ଯାଞ୍ଚ ପରେ କମିଶନିଂ ହେବ। ୨୦୧୯ ଜାନୁୟାରୀ ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବଲାଙ୍ଗୀରରୁ ବିଛୁପାଲି ଷ୍ଟେଶନ ପର୍ଯ୍ୟନ୍ତ ରେଳସେବା ଶୁଭାରମ୍ଭ ହୋଇଥିଲା। ବିଛୁପାଲି ପରେ ଝାରତରଭା ଷ୍ଟେଶନ। ଝାରତରଭା ସୁବର୍ଣ୍ଣପୁର ଜିଲାର ଦ୍ୱିତୀୟ ରେଳ ଷ୍ଟେଶନ ହେବ। ସେଫ୍ଟି କମିଶନର ଏ.ଏମ.ଚୌଧୁରୀଙ୍କ ଗସ୍ତ ପରେ ବଲାଙ୍ଗୀର-ଝାରତରଭା ୨୫.୮କିଲୋମିଟର ରେଳ ଚାଲିବା ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ଧିମେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇ ଶୀଘ୍ର ସୋନପୁର ପର୍ଯ୍ୟନ୍ତ ରେଳ ଗଡିବ ବୋଲି ଆଶା ସଞ୍ଚାର ହୋଇଛି । ପୂର୍ବରୁ ସୁବର୍ଣ୍ଣପୁର ଜିଲାର ସମ୍ବଲପୁର-ଟିଟିଲାଗଡ ସେକ୍ସନ ଅନ୍ତର୍ଗତ ଡୁଙ୍ଗୁରିପାଲିରେ ଏକମାତ୍ର ରେଳ ଷ୍ଟେଶନ ରହିଛି।

Share