ନୂଆଦିଲ୍ଲୀ,୨୬।୭: ବର୍ତ୍ତମାନ କରୋନା ଯୋଗୁ ରେଲଓ୍ବେର ରାଜସ୍ବ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଏହା ଖର୍ଚ୍ଚକାଟ ଯୋଜନାକୁ ଜୋରଦାର କରିଛି। ଏହି ଯୋଜନା ମୁତାବକ ରେଲଓ୍ବେ ଇଂଗ୍ରେଜ ଅମଳରୁ ଚାଲି ଆସୁଥିବା ଡାକ ମେସେଞ୍ଜର ସେବାକୁ ବନ୍ଦ କରି ଦେଇଥିବା ଜଣାପଡିଛି। ଉକ୍ତ ସେବାକୁ ବନ୍ଦ କରିବା ଲାଗି ରେଳ ବୋର୍ଡ ପକ୍ଷରୁ ଏହାର ବିଭିନ୍ନ ଜୋନକୁ ନିର୍ଦ୍ଦେଶ ରହିଛି। ଗୋପନୀୟ ଦସ୍ତାବିଜକୁ ପଠାଇବା ଲାଗି ରେଲଓ୍ବେ ଏଭଳି ଏକ ପ୍ରଥା ଚାଲୁ ରଖିଥିଲା। ଖର୍ଚ୍ଚ କମ୍ କରିବା ଲାଗି ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ରେଲଓ୍ବେ ପିଏସ୍ୟୁ ଏବଂ ରେଳ ବୋର୍ଡ ଅଧିକାରୀଙ୍କ ମଧ୍ୟରେ ଆଗାମୀ ଦିନରେ ଭିଡିଓ କନଫରେନ୍ସି ଦ୍ୱାରା ଆଲୋଚନା ହେବା ସହ ପର୍ସନାଲ ମେସେଞ୍ଜର ଏବଂ ଡାକ ମେସେଞ୍ଜର ବୁକିଂ ତୁରନ୍ତ ବନ୍ଦ କରିବା ଲାଗି କୁହାଯାଇଛି। ଏହି ନିର୍ଦ୍ଦେଶ ପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଷ୍ଟେଶନାରି, ଭତ୍ତା ଏବଂ ଫ୍ୟାକ୍ସ ସମେତ ଅନ୍ୟ ଖର୍ଚ୍ଚ ବଞ୍ଚାଯାଇ ପାରିବ। ଡାକ ମେସେଞ୍ଜର ପ୍ରକୃତରେ ଚପରାଶି ହୋଇଥାନ୍ତି। ସମ୍ବେଦନଶୀଳ ଦସ୍ତାବିଜଗୁଡିକୁ ରେଳ ବୋର୍ଡରୁ ବିଭିନ୍ନ ବିଭାଗ, ଜୋନ ଏବଂ ଡିଭିଜନଗୁଡିକୁ ପହଞ୍ଚାଇବା ଲାଗି ଏମାନେ କାର୍ଯ୍ୟ କରିଥାନ୍ତି। ଇ-ମେଲ ଏବଂ ଇଣ୍ଟରନେଟ ସେବା ନ ଥିବା ସମୟରେ ଇଂଗ୍ରେଜ ମାନେ ଏହି ସେବାକୁ ଆରମ୍ଭ କରିଥିଲେ।