ବର୍ଷା ସାଙ୍ଗକୁ ପବନ, ଚିନ୍ତାରେ ଚାଷୀ

କୁଜଙ୍ଗ,୧୭।୧୧(ମନୋଜ ପ୍ରଧାନ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ଉପକୂଳବର୍ତ୍ତୀ ବ୍ଲକ କୁଜଙ୍ଗ ଓ ଏରସମା ଅଞ୍ଚଳରେ ଗୁରୁବାର ସକାଳୁ ଝିପି ଝିପି ବର୍ଷା ସାଙ୍ଗକୁ ୫୦ କି.ମି. ବେଗରେ ପବନ ବହୁଛି। ଏନେଇ ଧାନଚାଷୀ ଚିନ୍ତାରେ ପଡିଛନ୍ତି।
ଚଳିତ ଖରିଫ୍‌ ଋତୁରେ କମ୍‌ ବର୍ଷା ଯୋଗୁ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ପମ୍ପଯୋଗେ ପାଣି ମଡ଼ାଇ ରୁଆ ବେଉଷଣ କରିଥିଲେ। ପଛକୁ ବର୍ଷାହେଲେ ଧାନ ଚାଷ ପାଇଁ ଉପଯୋଗୀ ହେବ ବୋଲି ଆଶା ରଖିଥିଲେ। ବର୍ଷା ଅଭାବରୁ ଧାନ ଗଛ ଦୁର୍ବଳ ହେବା ସାଙ୍ଗକୁ କିଆରିରେ ଘାସ ହୋଇଯାଇଥିଲା। ଏଥିସହ ପୋକଙ୍କ ପ୍ରାଦୁର୍ଭାବ ବଢ଼ିଯାଇଥିଲା। ବହୁ କଷ୍ଟରେ ଚାଷୀ ଖର୍ଚ୍ଚାନ୍ତ ହୋଇ ଜମିରେ ପମ୍ପଯୋଗେ ପାଣି ମଡ଼ାଇ ସାର, ଔଷଧ ଦେଇ ଧାନ ବଞ୍ଚାଇ ରଖିଥିଲେ। ଚଳିତ ବର୍ଷ କୁଜଙ୍ଗରେ ୧୧ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ଏବେ କିଛି ସ୍ଥାନରେ ଧାନ ପାଚିବା ଅବସ୍ଥାକୁ ଆସିଥିବା ବେଳେ ବହୁ ପରିମାଣର ଧାନ ଥୋର ବାହାରୁଛି। ଆଉ କେତେକ ଧାନ ଆହାର ସଂଗ୍ରହ ଅବସ୍ଥାରେ ଅଛି। ମାତ୍ର ଲଘୁଚାପ ପ୍ରଭାବରେ ବର୍ଷା ଓ ପବନ ଯୋଗୁ ଡେଙ୍ଗା କିସମର ଧାନ ଗଛ ନଇଁଯାଇ ମାଟିରେ ଲାଗିଗଲାଣି। ଏଭଳିସ୍ଥିତିରେ ଯଦି ବର୍ଷା ଓ ପବନର ବେଗ ବଢେ ତାହେଲେ ଥୋର ଧାନରେ ପାଣି ପଶି ଅଗାଡି ହୋଇଯିବ। ଅନ୍ୟପଟେ ପାଚିଲା ଅବସ୍ଥାକୁ ଆସିଥିବା ଧାନ ମାଟିରେ ଲାଗି ଗଜା ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ଚାଷୀ ନେତା ଶ୍ରୀନିବାସ ଜୁଝାର ସିଂହ କହିଛନ୍ତି। ଅନ୍ୟପଟେ କୁଜଙ୍ଗ ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଦୋଷ ବେହେରା କହିଛନ୍ତି, ଯେଉଁ ପରିମାଣର ବର୍ଷା ଓ ପବନ ହେଉଛିି ତାହା ଧାନ ଫସଲ ପାଇଁ ବିଶେଷ ଘାତକ ହେବ ନାହିଁ। ତେବେ ବଢ଼ିଲେ ଚିନ୍ତାର କାରଣ ବୋଲି ସେ କହିଛନ୍ତି।

Share