ଛେଚୁଛି ବର୍ଷା, ବଢୁଛି ଭୟ

ଭୋଗରାଇ, ୨୦।୮(ଡି.ଏନ.ଏ.): ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡିଶା-ପଶ୍ଚିମବଙ୍ଗ ଦୀଘା ଉପକୂଳ ମୁହାଁ ହେଉଥିବାରୁ ପ୍ରଶାସନ ପକ୍ଷରୁ ବାଲେଶ୍ୱର ଜିଲାରେ ସତର୍କ ସଂକେତ ଜାରି କରାଯାଇଛି l ଲଘୁଚାପ ସହିତ ଦକ୍ଷିଣ ପଶ୍ଚିମ ମୌସମୀ ବାୟୁ ଯୋଗୁ ଜିଲାରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଏଭଳି ସ୍ଥିତିରେ ଜୀବନଯାତ୍ରା ଏକପ୍ରକାର ଠପ୍‌ ହୋଇଯାଇଛି।
ଅପରପକ୍ଷରେ ଜିଲାରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ୧୪୯.୫ମି.ମି. ବର୍ଷା ହୋଇଥିବା ଜରୁରୀକାଳୀନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ସମୁଦ୍ର ଅଶାନ୍ତ ଥିବାରୁ ସମସ୍ତ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ଯିବା ପାଇଁ ନିଷେଧ୍ୟାଜ୍ଞା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ଉଦୟପୁର, ତାଳସାରୀ, ବିଚିତ୍ରପୁର, କୀର୍ତ୍ତନିଆ, ଡଗରା, ଚୌମୁଖ, ହଂସକର, ବାହାବଳପୁର, କଷାଫଳ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ସମସ୍ତ ମାଛଧରା ଡ଼ଙ୍ଗା ଓ ଟ୍ରଲର କୂଳରେ ଲାଗିଛି। ସମୁଦ୍ର ଅଶାନ୍ତ ଥିବାବେଳେ ଉତ୍ତାଳ ଢେଉ କୂଳଆଡକୁ ମାଡିଆସି ସୁରକ୍ଷା ପଥର ବନ୍ଧରେ ମାଡ଼କରୁଛି l
ଭୋଗରାଇ ସୀମାନ୍ତ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣି ପର୍ଯ୍ୟଟନ ସ୍ଥଳୀରେ କଡା ସତର୍କତା ଜାରି କରାଯାଇଥିବା ସୂଚନା ମିଳିଛି। ସମସ୍ତ ସ୍ଥାନରେ ଏନଡିଆରଏଫ ଏବଂ ସିଭିଲ ଡିଫେନ୍ସ କର୍ମଚାରୀଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ସାଗରଦୀପ, ହୁଗୁଳି, ପେଟୁଆ ଓ ଦୀଘାରେ ୩ନମ୍ବର ସତର୍କ ସଂକେତ ଦିଆଯାଇଛି l ବାଲେଶ୍ୱର ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ଲୋକଙ୍କ ପ୍ରତି ସତର୍କ ରହିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଗଭୀର ଲଘୁଚାପ ବାଲେଶ୍ୱର, ମୟୂରଭଞ୍ଜ ଜିଲା ଅତିକ୍ରମ କରି ଝାଡ଼ଖଣ୍ଡ ମାଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ସୂଚନା ଦେଉଥିବା ବେଳେ ସୁବର୍ଣ୍ଣରେଖାରେ ବଡ ଧରଣର ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେଚ ବିଭାଗ କହିଛି। ଦୀଘା ଉପକୂଳରେ ଏକ ବଙ୍ଗୀୟ ମାଛଧରା ଟ୍ରଲର ଗଭୀର ସମୁଦ୍ରରେ ୧୪ଜଣ ମତ୍ସଜୀବୀ ଫସିଥିବା ସୂଚନା ମିଳିଛି।