ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱରରୁ ରେମୁଣା ଓ ଏନଏଚ-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆଖପାଖ ଅଞ୍ଚଳରେ ଥିବା ଦୋକାନରେ ପାଣି ପଶିଛି । ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳକା ନଦୀ ଫୁଲୁଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ଫଳରେ ନଦୀ କୂଳିଆଙ୍କୁ ବନ୍ୟା ଡ଼ର ଘାରିଛି। ବାଲେଶ୍ୱର ବସ୍ତା ବ୍ଲକ ମଥାନୀଠାରେ ସତର୍କ ସଙ୍କେତ ୬.୫୦ ମିଟର ରହିଥିବାବେଳେ ଜଳକା ନଦୀର ଜଳସ୍ତର ବି ଜଳସ୍ତର ୬.୬୮ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ ୨ ଦିନ ହେଲା, ଜଳକା ନଦୀ ଅବବାହିକା ସମେତ ଉପରମୁଣ୍ଡ ତଥା ମୟୁରଭଞ୍ଜ ଜିଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଫଳରେ ନଦୀର ଜଳସ୍ତର ବି ବଢୁଛି । ଏଭଳି ବର୍ଷା ଲାଗିରହିଲେ ବନ୍ୟା ସମ୍ଭାବନା ରହୁଛି । ଯଦି ବନ୍ୟା ହୁଏ, ତା’ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷବାସ ଉଜୁ ଆଶଙ୍କା ରହିଛି ।

ସେହିପରି ଅବପାତ ପ୍ରଭାବରେ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ କରଞ୍ଜିଆ ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

Share