ରାମିଆଳ କେନାଲରେ ଘାଇ

କାମାକ୍ଷାନଗର,୨।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସସାପଶି ଗ୍ରାମ କୁଶବେରଣା ଦେଇଯାଇଥିବା ରାମିଆଳ ବାମ ପାର୍ଶ୍ୱ ମୁଖ୍ୟ କେନାଲରେ ଗୁରୁବାର ସକାଳେ ୫୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ନିକଟବର୍ତ୍ତୀ ଜମି ଜଳମଗ୍ନ ହୋଇଯାଇଛି। ବିନା ବର୍ଷାରେ ଏଭଳି ଘାଇ ସୃଷ୍ଟି ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚାଷୀଙ୍କ କହିବା କଥା, ଉକ୍ତ ସ୍ଥାନରେ କେନାଲ ବନ୍ଧ ଦୁର୍ବଳ ଥିଲା। ବିଭାଗୀୟ ଅଧିକାରୀ ମାଟି ପକାଇ କାମ ତୁଲ କରିଦେଇଥିଲେ। ତେବେ ସ୍ଥାୟୀ ପ୍ରତିକାର ନ ହେବାରୁ ଘାଇ ସୃଷ୍ଟି ହୋଇଛି। ଅନ୍ୟପଟେ ଘଟଣା ପରେ କେନାଲ ଗେଟ୍‌ ବନ୍ଦ କରାଯାଇଛି। ଘାଇ ମରାମତି ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟପଟେ କ୍ଷତିଗ୍ରସ୍ତ ଚାଷୀ ଜମିରୁ ଜଳ ନିଷ୍କାସନ ସହ କ୍ଷତିପୂରଣ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରିନାହିଁ।