ମାଲକାନଗିରି,୧୦ା୧୧ (ଡି.ଏନ୍.ଏ.): ମାଲକାନଗିରି ଅତିରିକ୍ତ ଜିଲା ଜଜ୍ ମହଲତ୍ ଶାହା ମଙ୍ଗଳବର ଏକ ବଳାତ୍କାର ମାମଲାର ବିଚାରକରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି। ଏଥିସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ଜଣାପଡିଛି ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ଇଲାକାରୁ ଜଣେ ନାବାଳିକାଙ୍କୁ ୨୦୧୬ରେ ଏମ୍ଭି-୬ ଗ୍ରାମର ଅଜୟ ସିକଦାର ଅପହରଣ କରିନେଇ ବିଶାଖାପାଟଣାରେ ରଖି ବଳାତ୍କାର କରିଥିଲେ। ପରେ ପରିବାର ଲୋକେ ଅପହରଣକାରୀ ଅଜୟଙ୍କ କବଳରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାରକରି ଘରକୁ ଆଣିଥିଲେ। ପୀଡିତାଙ୍କ ବାପା ଓର୍କେଲ ଥାନାରେ ଅଜୟଙ୍କ ନଁାରେ ଏତଲା ଦେଇଥିଲେ। ପୋଲିସ କେସ୍ ନଂ. ୨୦/୧୬ରେ ଅଭିଯୁକ୍ତ ଅଜୟଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲେ। ମାମଲାରେ ୨୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେବେଠାରୁ ଏହି ମାମଲା ଅତିରିକ୍ତ ଜିଲା ଜଜ୍ଙ୍କ କୋର୍ଟରେ ବିଚାରାଧୀନ ଥିଲା। ମଙ୍ଗଳବାର ଏହାର ଶୁଣାଣିକରି ବିଚାରପତି ଅଜୟଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଲମ୍ବୋଦର ତୁରୁକ ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ, ଏହି ମାମଲା ଧାରା ୩୬୩, ୩୬୬ (ଏ) ୩୭୬ (୨ ଏନ୍) ୩୨୩, ୫୦୬ ପୋକ୍ସୋ ଆକ୍ଟ ଅନୁଯାୟୀ ରୁଜୁ ହୋଇଥିଲା।