କେନ୍ଦୁଝର,୩୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଫାଷ୍ଟ୍ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ବଳାତ୍କାର ମାମଲାର ଶୁଣାଣି କରି ରାଜେନ୍ଦ୍ର ଦେହୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଓ ୫ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି। ଫାଇନ୍ ଅର୍ଥ ଅନାଦେୟ ଆଉ ଦୁଇ ମାସ ଅଧିକ ଜେଲ୍ ଦଣ୍ଡାଦେଶ କରିଛନ୍ତି। ଦୋଷୀଙ୍କ ଘର ଦୈତାରୀ ଥାନା ତେନ୍ତୁଳି ପାଳ ଗ୍ରାମରେ ବୋଲି ଜଣାପଡ଼ିଛି। ଘଟଣାଟି ୨୦୨୧ରେ ଦୈତାରୀ ଥାନା ଅଞ୍ଚଳରେ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ରାଜେନ୍ଦ୍ର ଜଣେ ୧୬ ବର୍ଷ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିଲେ। ପରେ ବିବାହ ନ କରିବାରୁ ଦୈତାରୀ ଥାନାରେ ୬ ମାର୍ଚ୍ଚ ୨୦୨୧ରେ ଅଭିଯୋଗ କରିଥିଲେ। ପୋଲିସ କେସ୍ ନମ୍ବର ୧୬/୨୧ ରେ ବଳାତ୍କାର ମାମଲା (ପୋକ୍ସୋ ଆଇନ) ରୁଜୁ କରି ରାଜେନ୍ଦ୍ରଙ୍କୁ ଗିରଫ କରିଥିଲା। ତେବେ ବିଚାର ବେଳେ ପୀଡ଼ିତା ୧୮ ବର୍ଷର ବାଳିକା ବୋଲି ଜଣା ପଡ଼ିଥିଲା। ଏଣୁ ୧୫ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସରକାରଙ୍କ ତରଫରୁ ଜ୍ଞାନେନ୍ଦ୍ରନାଥ ଜେନା କେସ୍ ପରିଚାଳନା କରିଥିଲେ।