୧୪ ଦିନ କ୍ୱାରାଣ୍ଟାଇନରେ ରହିବାର କାରଣ କହିଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୫ା୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) କରୋନା ରୋଗୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି। ଅବଶ୍ୟ ଅଧିକାଂଶ କରୋନା ରୋଗୀ ଲକ୍ଷଣ ଆରମ୍ଭ ହେବାର ପାଞ୍ଚରୁ ସାତ ଦିନ ମଧ୍ୟରେ ସୁସ୍ଥ ହୁଅନ୍ତି। ମଙ୍ଗଳବାର ଡବ୍ଲ୍ୟୁଏଚ୍‌ଓର ଜଣେ ଅଧିକାରୀ ଏକ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଡବ୍ଲ୍ୟୁଏଚ୍‌ଓର କରୋନା ଇନ୍‌ସିଡେଣ୍ଟ ମ୍ୟାନେଜମେଣ୍ଟ ସପୋର୍ଟ ଟିମର ଅବଦୀ ମହମ୍ମଦ କହିଛନ୍ତି, ‘ରାଜ୍ୟଗୁଡ଼ିକ ସେମାନଙ୍କର ବ୍ୟକ୍ତିଗତ ପରିସ୍ଥିତିକୁ ଭିତ୍ତି କରି କ୍ୱାରାଣ୍ଟାଇନ୍‌ର ଅବଧି ସ୍ଥିର କରିବା ଉଚିତ୍‌।

ସେ କହିଛନ୍ତି, କମ୍‌ ସଂକ୍ରମଣ ଥିବା ଦେଶଗୁଡ଼ିକରେ ଦୀର୍ଘ ସମୟ ଧରି କ୍ୱାରାଣ୍ଟାଇନ୍‌ କରୋନା ରୋଗ ହ୍ରାସ କରିବାରେ ସହାୟକ ହୋଇଥାଏ। ସେ କହିଛନ୍ତି, ଦେଶର ଅର୍ଥନୀତିକୁ ବଜାୟ ରଖିବା ପାଇଁ କ୍ୱାରାଣ୍ଟାଇନ୍‌ର ସ୍ବଳ୍ପ ସମୟ ଯଥାର୍ଥ ହୋଇପାରିବ। ଅଧିକାରୀ ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ, ଉଭୟ ସ୍ବାଇନ ଫ୍ଲୁ ଏବଂ କରୋନାରେ ସଂକ୍ରମିତ ହେବା ସମ୍ଭବ। ଯେହେତୁ ଦୁଇଟି ଭିନ୍ନ ଭୂତାଣୁ ଯାହା ଶରୀରକୁ ବିଭିନ୍ନ ଉପାୟରେ ଆକ୍ରମଣ କରେ, ତେଣୁ ଏକ ନୂତନ ଭୂତାଣୁରେ ମିଶିବାର ଆଶଙ୍କା କମ୍‌ ଥାଏ। ଅତି କମ୍‌ରେ ଦୁଇ ସପ୍ତାହ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ଜରୁରୀ ଅଟେ।

Share