Advertisement

‘ମଗଜି’କୁ ମାନ୍ୟତା ଆଶା ବଢ଼ିଲା

ଢେଙ୍କାନାଳ ଅଫିସ, ୮।୧୨: ଢେଙ୍କାନାଳର ନିଜସ୍ବ ମିଠା ମଗଜି ଲଡୁକୁ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ମାନ୍ୟତା ଆଶା ବଢ଼ିଛି। ପ୍ରସ୍ତୁତି ପ୍ରଣାଳୀ ଏବଂ ସ୍ବାଦରେ ସ୍ବତନ୍ତ୍ର ଏହି ସ୍ବାଦିଷ୍ଟ ମିଷ୍ଟାନ୍ନକୁ ଜିଆଇ ମାନ୍ୟତା ଦେବା ଲାଗି ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଆବେଦନ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା, ଯାହାର ପଞ୍ଜୀକୃତ ଆବେଦନକାରୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)। ଆବେଦନକାରୀଙ୍କ ପକ୍ଷରୁ ବିଭିନ୍ନ ସୋପାନରେ ଆସିଥିବା ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ବୁଧବାର ଏହାର ଶୁଣାଣି ଭୁବନେଶ୍ୱର ଏସ୍‌ସି/ଏସ୍‌ଟି ରିସର୍ଚ୍ଚ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ଜିଆଇ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ମଗଜି ଲଡୁ ସମ୍ପର୍କରେ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଓୟୁଏଟି ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ସେଲ୍‌ ଚେୟାରମ୍ୟାନ ପ୍ରଫେସର ଏସ୍‌.କେ. ଦାସ, କନଭେନର ପ୍ରଫେସର ଡି. ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ବି.ଏସ୍‌. କର, ଢେଙ୍କାନାଳ ସୁଇଟ୍ସ ଆସୋସିଏଶନ ସଭାପତି, ସମ୍ପାଦକ ଓ ସଭ୍ୟ ପ୍ରମୁଖ ଜିଆଇ ପଞ୍ଜୀକରଣ ଅଥରିଟିଙ୍କ ପକ୍ଷରୁ ଆସିଥିବା କନସଲେଟିଭି ଗ୍ରୁପ୍‌ର ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇଥିଲେ। ଏଥିସହ ସମସ୍ତଙ୍କ ସମ୍ମୁଖରେ ମଗଜି ଲଡୁ ପ୍ରଦର୍ଶନ କରିଥିଲେ। ଜିଆଇ ପଞ୍ଜୀକରଣ ଅଥରିଟି ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ ଆଉ କିଛି ତଥ୍ୟ, ଟେଷ୍ଟ ରିପୋର୍ଟ ଲୋଡ଼ିଛନ୍ତି। ଆବଶ୍ୟକ ତଥ୍ୟ ଦାଖଲ ପରେ ମଗଜି ଲଡୁକୁ ଜିଆଇ ମାନ୍ୟତା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବେ ବୋଲି ଆଶା ବଢ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share