ରେକର୍ଡ ଭାଙ୍ଗିଲା ବିଦେଶୀ ପକ୍ଷୀଙ୍କ ଆଗମନ

ସମ୍ବଲପୁର,୧୧।୧(ବ୍ୟୁରୋ):  ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା ରିପୋର୍ଟ ସୋମବାର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବିଦେଶୀ ପକ୍ଷୀ ଆଗମନ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ୧୯ ନୂତନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି। ୧୦୪ ପ୍ରଜାତିର ମୋଟ ୨ ଲକ୍ଷ ୮ ହଜାର ପକ୍ଷୀ ଆସିଛନ୍ତି। ଗତବର୍ଷ ଅପେକ୍ଷା ୯୯ ହଜାର ୯୮୪ ପକ୍ଷୀ ଅଧିକ ଆସିଥିବା ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ହାରାକୁଦ ଜଳ ଭଣ୍ଡାରକୁ ଡିସେମ୍ବର ମାସରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଜାନୁୟାରୀ ୭ ତାରିଖରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ଗଣନାରେ ସମ୍ବଲପୁର, ଝାରସୁଗୁଡ଼ା, ହୀରାକୁଦ ବନଖଣ୍ଡ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ମୋଟ ୧୫ ଟିମ୍‌ ଗଠନ କରାଯାଇଥିଲା। ପ୍ରତି ଟିମ୍‌ରେ ୨ ଜଣ ବନ କର୍ମଚାରୀଙ୍କ ସମେତ ଜଣେ ଏନ୍‌ଜିଓ କର୍ମଚାରୀ, ଜଣେ ଓୟୁଏଟି ଛାତ୍ର ରହିଥିଲେ। ଚିହ୍ନଟ ପକ୍ଷୀ ମଧ୍ୟରେ ଡକ୍‌ ପ୍ରଜାତିର ରେଡ୍‌ କ୍ରେଷ୍ଟେଟ ପୋଚାଡ, ଟୁଫେଡ ଡକ୍‌, ବ୍ରାମିନି ଡକ୍‌, ନରଦେନ ପିନଷ୍ଟେଲ, ୟୁରୋଏସିଆନ, ଏସିଆନ ୱିଗନ, ଏସିଆନ ଓପନବିଲ, ଗ୍ରେ ହୀରୋଜେନ, ପର୍ପଲ ହୀରୋଜେନ, କେଟେଲ ଗ୍ରେଡ, ଲିଟିଲ ଗ୍ରେଡ, ଇଣ୍ଟର ମିଡିଏଟ ରି-ଗ୍ରେଟ, ଇଣ୍ଡିଆନ ପଣ୍ଡ ହୀରେନ ପ୍ରଭୃତି ଆସିଥିବା ଚିହ୍ନଟ କରାଯାଇଛି। ୨୦୨୦ରେ ୮୨ ପ୍ରଜାତିର ୧ଲକ୍ଷ ୩୪ ହଜାର ପକ୍ଷୀ ଆସିଥିବା ଗଣନା କରାଯାଇଥିଲା। ସେହିପରି ୨୦୧୭ରେ ୫୭ ପ୍ରଜାତିର ୭୬ ହଜାର ୭୬୮, ୨୦୧୬ରେ ୬୦ ପ୍ରଜାତିର ୯୫ ହଜାର ୯୧୨, ୨୦୧୫ରେ ୬୪ ପ୍ରଜାତିର ୫୮ ହଜାର ୯୭, ୨୦୧୪ରେ ୫୪ ପ୍ରଜାତିର ୬୩ ହଜାର ୮୯୨, ୨୦୧୩ରେ ୬୦ ପ୍ରଜାତିର ୭୯ ହଜାର ୧୩୮ ବିଦେଶୀ ପକ୍ଷୀ ଆସିଥିବା ରିପୋର୍ଟ ରହିଛି ା

Share