ୟୁଏଇ,୨୭।୯: କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏକ ଖାସ୍ ରେକର୍ଡର ଅଧିକାରୀ ହୋଇଛି। ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ ନେବାରେ ଏହି ଦଳ ସର୍ବାଗ୍ରେ ରହିଛି। ଚେନ୍ନାଇ ଆବୁଧାବିରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଏହି ରେକର୍ଡ ସୃଷ୍ଟି କରିଛି। ବର୍ତ୍ତମାନ ଆଇପିଏଲ ଇତିହାସରେ ଅଧିକାଂଶ ଥର ଶେଷ ବଲରେ ମ୍ୟାଚ ଜିତିବାର ରେକର୍ଡ ଚେନ୍ନାଇ ସୁପର କିଙ୍ଗ୍ସର ନାଁରେ ହୋଇଛି। ଚେନ୍ନାଇ ସପ୍ତମ ଥର ପାଇଁ ଇନିଂସର ଶେଷ ବଲରେ ମ୍ୟାଚ ଜିତିବାର କୀର୍ତ୍ତିମାନ କରିଛି, ଯାହାକି ଆଇପିଏଲ ରେକର୍ଡ ଅଟେ। ଏହାପୂର୍ବରୁ ଏହି ରେକର୍ଡ ମିଳିତ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ନାମରେ ରେକର୍ଡ କରାଯାଇଥିଲା। ତିନିଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ -୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ଶେଷ ବଲରେ କୋଲକତା ନାଇଟ ରାଇଡର୍ସକୁ ୨ ଉଇକେଟରେ ପରାସ୍ତ କରିଛି।
ଆଇପିଏଲ ଇତିହାସରେ ଚେନ୍ନାଇ ଶେଷ ବଲରେ ତୃତୀୟ ଥର ପାଇଁ କୋଲକତାକୁ ପରାସ୍ତ କରିଛି। ୨୦୧୨ ମସିହାରେ ପ୍ରଥମ ଥର ପାଇଁ ଚେନ୍ନାଇ ସମାନ ଗ୍ରାଉଣ୍ଡରେ ଶେଷ ବଲରେ କୋଲକାତାକୁ ୫ ଉଇକେଟରେ ପରାସ୍ତ କରିଥିଲା । ଗତ ବର୍ଷ ଦୁବାଇରେ ମଧ୍ୟ ଚେନ୍ନାଇ କୋଲକାତାକୁ ୬ ଉଇକେଟରେ ପରାସ୍ତ କରିଥିଲା ଏବଂ ଏବେ ଦଳ ଆବୁଧାବିରେ ମଧ୍ୟ ସମାନ ପ୍ରଦର୍ଶନ କରିଛି।