ଘର ଫାଟକରେ ନାଲି ବୋତଲ

ଭୁବନେଶ୍ୱର,୧।୭(ସୂର୍ଯ୍ୟକାନ୍ତ ବେହେରା): ବିଜ୍ଞାନ ଯୁଗରେ ବି ବହୁ ଅନ୍ଧବିଶ୍ୱାସକୁ ଲୋକେ ବିଶ୍ୱାସ କରି ନେଉଛନ୍ତି ବା ମାନି ଆସୁଛନ୍ତି। ବହୁ ଅନ୍ଧବିଶ୍ୱାସ ବି ବିଜ୍ଞାନ ସମ୍ମତ ଭାବେ ପ୍ରମାଣିତ ହେବା ସହ ପରୋକ୍ଷରେ ମାନବ ଜାତିର କାମରେ ଆସୁଛି। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକାଂଶ ଲୋକ ପୁରୁଣା ପ୍ରଥା, ବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ହେଲେ ରାଜଧାନୀ ଭୁବନେଶ୍ୱର ଭଳି ସହରରେ କିଛି କିଛି ଘଟଣାକୁ ନେଇ ମନରେ ନାନା ପ୍ରଶ୍ନ ଉଠୁଛି। ଦୋକାନ ବଜାର ହେଉକି ଲୋକଙ୍କ ଘର ଆଗରେ ନାଲି ପାଣି ବୋତଲ ରହୁଥିବା ବା ଟଙ୍ଗା ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ରାତି ସମୟରେ ଏହା ଅଧିକ ନଜରକୁ ଆସୁଛି। ତେବେ ଏହା ପଛର କାରଣ ବା ରହସ୍ୟ ଜାଣିବାକୁ ଆମେ ଚେଷ୍ଟା କରିଥିଲୁ।
ବିଜ୍ଞାନ ସମ୍ମତ କୌଣସି ପ୍ରମାଣ ନ ଥିଲେ ମଧ୍ୟ ନାଲି ବୋତଲ ଦେଖିଲେ କୁକୁର ସେହି ସ୍ଥାନ ମାଡ଼ନ୍ତି ନାହିଁ କି ଗାଈଗୋରୁ ଭଳି ବୁଲା ଜୀବଜନ୍ତୁ ଅଳିଆ ଆବର୍ଜନା କରନ୍ତି ନାହିଁ ବୋଲି କେତେଜଣ କହିଛନ୍ତି। ଆଉ ଏହାକୁ ସହରରେ ରହୁଥିବା ବହୁ ଶିକ୍ଷତ ଲୋକ ମଧ୍ୟ ବହୁତ ବିଶ୍ୱାସର ସହ ନେଉଥିବା ଦେଖାଯାଉଛି। ଭୁବନେଶ୍ୱରରେ ରହୁଥିବା ଲୋଲକାତାର ଜଣେ ମହିଳା କହିଛନ୍ତି, ପଶ୍ଚିମବଙ୍ଗରେ ଆମେ ଏହାକୁ ଅଧିକ ବିଶ୍ୱାସ କରୁ। ଭୁବନେଶ୍ୱରରେ ମଧ୍ୟ ନାଲି ପାଣି ବୋତଲ ଘର ଆଗରେ ରହୁଥିବା ଦେଖୁଛି। କିନ୍ତୁ ନୟାପଲ୍ଲୀ ଅଞ୍ଚଳରେ ଘର ଫାଟକରେ ନାଲି ବୋତଲ ଟଙ୍ଗା ଯାଇଥିବା କୋଠାରେ ରହୁଥିବା ଭଡାଟିଆମାନେ କହିଛନ୍ତି, ଏହାଦ୍ୱାରା କିଛି ପ୍ରଭାବ ପଡୁନାହିଁ। କୁକୁରମାନେ ଘର ଫାଟକକୁ ଆସିବା ସହ ଝାଡ଼ାପରିସ୍ରା କରି ପଳାଉଛନ୍ତି। କିନ୍ତୁ ଲୋକେ କାହିଁକି କେଜାଣି ଅନ୍ଧବିଶ୍ୱାସକୁ ଆଦରି ନେଇଛନ୍ତି ତାହା ବୁଝାପଡୁନାହିଁ। ବୋତଲରେ ନାଲି ପାଣି ରଖିବା ଦ୍ୱାରା ବୁଲା ପ୍ରାଣୀ ଆଉ ଅଳିଆ କରିବେନି କି ଏଥିରେ ପରିସ୍ରା କରିବେ ନାହିଁ ବୋଲି ଲୋକେ ଯେଉଁ ବିଶ୍ୱାସ କରୁଛନ୍ତି ତାହା ଠିକ୍‌ ନୁହେଁ ବୋଲି ଅନ୍ୟ କେତେଜଣ କହିଛନ୍ତି।
ଆଦୌ ଠିକ୍‌ ନୁହେଁ, ଏହା ଅଶୁଭର ଲକ୍ଷଣ
ଘର ଆଗରେ ବୋତଲ ଟଙ୍ଗାଇବା ଗୋଟେ ଅନ୍ଧ ବିଶ୍ୱାସ। କାହା ସହିତ କୌଣସି ବନ୍ୟଜନ୍ତୁ ଆସିବା ନ ଆସିବାର କୌଣସି ସମ୍ପର୍କ ନାହିଁ। ଏହି ପନ୍ଥାକୁ ଆପଣାଇବା ଆଦୌ ଉଚିତ ନୁହେଁ। ନିର୍ଦ୍ଦିଷ୍ଟ ମାନସିକତାର କେତେଜଣ ବ୍ୟକ୍ତି ଏହାର ପ୍ରଚାର କରି ଅନ୍ଧବିଶ୍ୱାସକୁ ବୃଦ୍ଧି କରୁଛନ୍ତି। ତେଣୁ ଏଥିରୁ ଦୂରେଇ ରହିଲେ ଭଲ ହେବ। ଏହାସହ ଘର ଆଗରେ ଲାଲ ରଙ୍ଗର ଜିନିଷ ଟଙ୍ଗାଇବା ଗୃହ ପାଇଁ ଅଶୁଭ।
-ମନୋଜ କୁମାର ଲେଙ୍କା,
ଅନ୍ତର୍ଜାତୀୟ ଜ୍ୟୋତିର୍ବିଦ୍‌ ଓ ବାସ୍ତୁବିଦ୍‌।