‘ମମତା’ ଯୋଜନା ପଞ୍ଜୀକରଣ ଅବଧି ୭ ମାସକୁ ବୃଦ୍ଧ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): କରୋନା ପାଇଁ ରାଜ୍ୟରେ ଏବେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଛି। ସାରା ଦେଶରେ ଲକ୍‌ଡାଉନ ପରିସ୍ଥିତି ଜାରି ରହିଥିବାରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଶା ଫେରୁଛନ୍ତି। ଏଭଳି ସମୟରେ କରୋନା ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ମଧ୍ୟରେ ସମସ୍ତ ଅଙ୍ଗନଓ୍ବାଡି ସେବା ଜାରି ରଖିବା ସହିତ ଫେରୁଥିବା ସମସ୍ତ ପ୍ରବାସୀ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ୬ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ପଞ୍ଜୀକରଣ କରି ସେବା ଯୋଗାଇବାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ମନ୍ତ୍ରୀ ଭର୍ଚୁଆଲରେ ସାମ୍ପ୍ରତିକ କୋଭିଡ୍‌ ପରିସ୍ଥିତିରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ସମନ୍ବିତ ଶିଶୁବିକାଶ ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ବିଭାଗୀୟ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଲକ୍‌ଡାଉନ ଯୋଗୁ ଗର୍ଭବତୀ ଓ ପ୍ରସୂତିମାନେ ‘ମମତା ଯୋଜନା’ ରେ ନାମ ପଞ୍ଜୀକରଣଜନିତ ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ ଯୋଜନାର ନିୟମାବଳୀରେ ସଂଶୋଧନ କରାଯାଇଛି। ପୂର୍ବରୁ ଏହି ସହାୟତା ପାଇବା ନିମନ୍ତେ ପ୍ରଥମ ଗର୍ଭଧାରଣର ୩ମାସ ମଧ୍ୟରେ ପଞ୍ଜୀକରଣ ହେଉଥିବାବେଳେ ଏବେ ଏହି ଅବଧିକୁ ୬ମାସ ପର୍ଯ୍ୟନ୍ତ ଓ ଅତି କଠିନ ସ୍ଥିତିରେ ୭ମାସକୁ ବୃଦ୍ଧି କରାଯାଇଛି। ରାଜ୍ୟକୁ ଫେରୁଥିବା ପ୍ରବାସୀ ମହିଳାମାନେ କୌଣସି ଜାତୀୟ କିମ୍ବା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରସୂତିକାଳୀନ ସହାୟତା ଯୋଜନାର ଅନ୍ତର୍ଭୁକ୍ତ ହୋଇ ନ ଥିଲେ ଓଡ଼ିଶାରେ ମମତା ଯୋଜନାର ସୁଫଳ ପାଇପାରିବେ। ଏଥିପାଇଁ ସେମାନଙ୍କୁ ଏକ ଲିଖିତ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ୧୮୧ ହେଲ୍ପଲାଇନରେ ମଧ୍ୟ ମମତା ଯୋଜନା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଗ୍ରହଣ କରାଯିବ। ଏ ସମସ୍ତ ପଦକ୍ଷେପ ସମ୍ପର୍କରେ ଜିଲାପାଳଙ୍କୁ ପତ୍ର ଲେଖି ଜଣାଯାଇଥିବା ଅରବିନ୍ଦ ଅଗ୍ରୱାଲ କହିଛନ୍ତି। ତୁରନ୍ତ ଯୋଗ୍ୟ ପ୍ରବାସୀ ହିତାଧିକାରୀଙ୍କୁ ଚିହ୍ନଟ କରି ଅଙ୍ଗନଓ୍ବାଡିରେ ପଞ୍ଜୀକରଣ କରିବା ସହିତ ସେମାନଙ୍କୁ ସମସ୍ତ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ରଶ୍ମିରଞ୍ଜନ ନାୟକ, ଧରଣୀଧର ନନ୍ଦ, ନିତ୍ୟାନନ୍ଦ ବାରିକ, ଗୀତାରାଣୀ ପଟ୍ଟନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Share