‘ଆର୍‌ଆର୍‌ଆର୍‌’ର ରିଲିଜ୍‌ ତାରିଖ ବଦଳିବନି

ମୁମ୍ବାଇ : ଏସ୍‌.ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍‌ମ ‘ଆର୍‌ଆର୍‌ଆର୍‌’ ଛଅ ହଜାରରୁ ଅଧିକ ପରଦାରେ ମୁକ୍ତିଲାଭ କରିବ। ଏହି ଫିଲ୍‌ମରେ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଗତ କିଛି ଦିନ ହେବ ଦେଶରେ କୋଭିଡ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ସିନେମା ହଲ ଗୁଡିକ ବନ୍ଦ ହୋଇଯାଇଛି। ଏହି ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହି ଫିଲ୍‌ମର ରିଲିଜ୍‌ ସ୍ଥଗିତ ହୋଇପାରେ ବୋଲି କୁହାଯାଉଥିଲା। ତେବେ ଏସ୍‌.ଏସ୍‌ ରାଜାମୌଲି ଏହି ଗୁଜବକୁ ଖଣ୍ଡନ କରିଛନ୍ତି। ଫିଲ୍‌ମର ରିଲିଜ ଡେଟ୍‌ ଘୁଞ୍ଚାଯିବ ନାହିିଁ ବୋଲି ସେ କହିଛନ୍ତି। ପୁର୍ବ ନିର୍ଦ୍ଧାରିତ ଅନୁଯାୟା ଜାନୁୟାରୀ ୭ରେ ପ୍ରେକ୍ଷାଳୟକୁ ଆସିବ।

୪୫୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଫିଲ୍‌ମଟି ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ। ଫିଲ୍‌ମଟି ଦୁଇ ସ୍ବାଧୀନତା ସଂଗ୍ରାମୀ, ଆଲୁରୀ ସେଥାରାମା ରାଜୁ ଏବଂ କୋମାରାମ ଭୀମଙ୍କ ଜୀବନୀ ଉପରେ ନିର୍ମିତ ହୋଇଛି। ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆରଙ୍କ ବ୍ୟତିତ ଆଲିଆ ଭଟ୍ଟ, ଅଜୟ ଦେବଗନ, ରାଇ ଷ୍ଟିଭେନ୍ସନ, ଅଲିଭିଆ ମୋରିସ, ଆଲିସନ ଡୁଡି, ସାମୁଥିରାକାନି ଏବଂ ଶ୍ରୀୟା ସରନ ପ୍ରମୁଖ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍‌ମଟି ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲମ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବ।

 

Share