ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ

ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଉଛି। ପ୍ରଶାସନ ପକ୍ଷରୁ ଭବାନୀପାଟଣାର ସାପ୍ତାହିକ ହାଟକୁ (ମଙ୍ଗଳବାର ଓ ଶନିବାର) ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଜିଲାର ୪୪ଟି ଟିକା ଦାନ କେନ୍ଦ୍ରରେ ଗତ ୪ ଦିନ ମଧ୍ୟରେ ୩୭୪୨୧ ଜଣ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ଅନ୍ୟପକ୍ଷେ ଜିଲାରେ ମୋଟ ୭୬୬୮୭ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁନାଗଡ ବ୍ଲକରେ କରୋନ ସ୍ଥିତି ଚିନ୍ତା ବଢାଇଛି। ପ୍ରଶାସନ ପକ୍ଷରୁ ସହରରେ ମାସ୍କ ପିନ୍ଧୁ ନ ଥିବା ଓ ସାମାଜିକ ଦୂରତା ନିୟମର ପାଳନ କରୁ ନ ଥିବା ଦୋକାନ ଉପରେ ଚଢାଉ କରାଯାଉଛି। ହେଲେ ଲୋକ ଏହାକୁ ଖାତିର ନ କରି ନିୟମ ଉଲ୍ଲଂଘନ କରୁଛନ୍ତି। ଜୁନାଗଡରେ ଗତ ୩ ସପ୍ତାହ ମଧ୍ୟରେ ୬୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

Share