ମୁମ୍ବାଇ: ଦେଶ ମଧ୍ୟରେ କୋଭିଡ ସଂକ୍ରମଣ ବଢିଚାଲିଛି। ଏଭଳି ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ଲାଗି ସରକାର ଆର୍ବିଆଇକୁ ନିର୍ଦ୍ଦେଶ ଦେଇଛି। ସୋମବାର ଠାରୁ ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହା ୭ ତାରିଖ ଯାଏ ଚାଲିବ। ୭ ତାରିଖରେ ସୁଧହାର ହ୍ରାସ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଚଳିତ ଥର ଆର୍ବିଆଇ ରେପୋ ରେଟକୁ ଅପରିବର୍ତ୍ତିତ ରଖିପାରେ ବୋଲି ବଜାର ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସୁଥିବା ୬ ସଦସ୍ୟ ବିଶିଷ୍ଟ କମିଟି ସୁଧହାରରେ କୌଣସି ହ୍ରାସ କରି ନ ପାରେ ବୋଲି କୁହାଯାଉଛି। ରେପୋ ରେଟ୍ କମାଇବା ଲାଗି ଠିକ୍ ସମୟକୁ ଅପେକ୍ଷା କରାଯିବ ବୋଲି ଆର୍ବିଆଇର ବିଶେଷଜ୍ଞ ପ୍ୟାନେଲ ଅନୁଭବ କରୁଛନ୍ତି।
ବର୍ତ୍ତମାନ ରେପୋରେଟ ୪% ସ୍ତରରେ ରହିଛି। ସେହିଭଳି ରିଭର୍ସ ରେପୋ ୩.୩୫% ସ୍ତରରେ ରହିଛି। କୋଭିଡ ମାମଲା ବଢୁଥିବାରୁ ଏହା କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଏଡେଲଓ୍ବିସ ରିସର୍ଚ୍ଚର ବିଶେଷଜ୍ଞ ମତ ଦେଇଛନ୍ତି।ବର୍ତ୍ତମାନ ମୁଦ୍ରାସ୍ଫୀତି ଉର୍ଦ୍ଧ୍ୱଗାମୀ ରହିଛି। କୋଭିଡ ମାମଲା ବଢୁଥିବାରୁ ଏହା ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ଏଣୁ ଏହାକୁ ଦେଖିଲେ ସୁଧ ହାର ହ୍ରାସ ହୋଇନ ପାରେ ବୋଲି ହାଉସିଂ ଡଟ୍ କମ୍ର ଗ୍ରୁପ ସିଇଓ ଧ୍ରୁବ ଅଗ୍ରଓ୍ବାଲ କହିଛନ୍ତି। ବର୍ତ୍ତମାନ ଋଣ ଉପରେ ସୁଧ ହାର ଐତିହାସିକ ରେକର୍ଡ ସ୍ତରରେ ରହିଥିବାରୁ ବାଣିଜି୍ୟକ ବ୍ୟାଙ୍କ ସୁଧହାର ହ୍ରାସ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଆଗକୁ ବଢାଇବା ଦିଗରେ କାମ କରିପାରିବେ।