ପରୀକ୍ଷା ନ କରି ରିପୋର୍ଟ ପଜିଟିଭ୍‌

ଭଞ୍ଜନଗର,୧୩।୫: କରୋନା ଆତଙ୍କ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ନ କରି ଜଣେ ଶିଶୁଙ୍କ ରିପୋର୍ଟ ପଜିଟିଭ ଆସିବା ଓ ପରେ ଏହା ଭୁଲ ସୂଚନା ବୋଲି କୁହାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ବେଲଗୁଣ୍ଠା ବ୍ଲକ ପଣ୍ଡାବଞ୍ଜର ସାହିର କିଛି ଲୋକଙ୍କୁ ୨ ସପ୍ତାହ ତଳେ ଜ୍ୱର ହୋଇଥିଲା। ସେମାନେ ଭଞ୍ଜନଗର ମେଡିକାଲକୁ ଆସିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ନିଜ ବ୍ଲକରେ କରୋନା ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥ୍‌ତ୍ଲେ। ଜ୍ୱରରୋଗୀ ଗାଁକୁ ଫେରି ଏ ସମ୍ପର୍କରେ ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ଜଣାଇଥିଲେ। ଗତ ୪ ତାରିଖରେ ଗୋବରା ମେଡ଼ିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଯାଇ ସେଠାରେ ରହୁଥିବା ପ୍ରାୟ ୨୨ଜଣଙ୍କ ମଧ୍ୟରୁ ୨୧ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ୫ ବର୍ଷୀୟ ଶିଶୁଟି ଭୟଭୀତ ହେବାରୁ ତାହାର ପରୀକ୍ଷା କରାଯାଇ ନ ଥିଲା । କରୋନା ଟେଷ୍ଟର ୮ ଦିନ ପରେ ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଥିଲା। ତେଣୁ ସେ ଘରେ ସଙ୍ଗରୋଧରେ ରହିଥିଲେ। ଗୋବରା ସ୍ବାସ୍ଥ୍ୟକେନ୍ଦ୍ରରୁ ଡ଼ାକ୍ତର ଆସି ତାଙ୍କର ସ୍ବାସ୍ଥ୍ୟଯାଞ୍ଚ କରିବା ସହ ଫୋନ ମାଧ୍ୟମରେ ଖବର ରଖୁଛନ୍ତି। ପଣ୍ଡାବଞ୍ଜର ସାହିର ସମସ୍ତେ ବର୍ତ୍ତମାନ ସୁସ୍ଥ ଥିବାବେଳେ ଗୁରୁବାର କିଛି ସମୟ ମଧ୍ୟରେ ସେହି ସାହିର ଶେଷଦେବ ପଣ୍ଡାଙ୍କ ପାଖକୁ ୩ଟି ଫୋନ କଲ୍‌ ଆସିଥିଲା। ତାଙ୍କ ୫ ବର୍ଷୀୟ ପୁଅଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା କୁହାଯାଇଥିଲା। ପୁଅର କରୋନା ଟେଷ୍ଟ ହୋଇ ନ ଥିବା ବେଳେ ରିପୋର୍ଟ କିଭଳି ଆସିଲା ସେ ପ୍ରଶ୍ନ କରିଥିଲେ। କିଛି ଘଣ୍ଟା ପରେ ମେଡ଼ିକାଲ କର୍ମଚାରୀ ତାହା ଭୁଲ ସୂଚନା ଯାଇଥିବା ସ୍ବୀକାର କରିବା ପରେ ଶେଷଦେବଙ୍କ ଚିନ୍ତା ହଟିଛି।

Share