ରେରା ଆଇନ ହେବ ସଂଶୋଧନ

ସମ୍ବଲପୁର,୧୫।୧୦(ପ୍ରମୋଦ ବହିଦାର):ରେରା ଆଇନ ହେବ ସଂଶୋଧନ। ଆବଶ୍ୟକସ୍ଥଳେ ସମ୍ପୂର୍ଣ୍ଣ ଜମି ବଦଳରେ କିଛି ଅଂଶକୁ ଜମି ମାଲିକମାନେ ବିକ୍ରି କରିପାରିବେ। ସୋମବାର ସମ୍ବଲପୁର ସହକାରୀ ଉପନିବନ୍ଧକ(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି।
ଏହି ଅବସରରେ ସେ ଜମି ଦଲାଲମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି, ସହକାରୀ ଉପନିବନ୍ଧକ(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ଜମି ବିକ୍ରୟକୁ ନେଇ ଅବହେଳା ସମ୍ପର୍କରେ ଅଭିଯୋଗ ହସ୍ତଗତ ହୋଇଛି। ଜମି ବିକ୍ରୟ ପାଇଁ ଲାଗୁ ହୋଇଥିବା ରେରା(ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି) ଆଇନରେ କେଉଁ ପରିସ୍ଥିତିରେ ଆଂଶିକ ଜମି ବିକ୍ରୟ କରାଯାଇ ପାରିବ ତାହା ଉଲ୍ଲେଖ ରହିଛି। କେଉଁ ଜମି ବିକ୍ରୟ କ୍ଷେତ୍ରରେ ଉକ୍ତ ଆଇନ ଅନ୍ତର୍ଭୁକ୍ତ ନୁହେଁ ସେହି ଅନୁସାରେ ସହକାରୀ ଉପନିବନ୍ଧକ ଲୋକଙ୍କୁ ସେବା ଯୋଗାଇଦେବାର ଆବଶ୍ୟକତା ରହିଛି। ତେବେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ(ଏସ୍‌ଡିଏ)ଙ୍କ ପକ୍ଷରୁ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟକୁ ପ୍ରେରିତ ଚିଠିରେ ସହରାଞ୍ଚଳରେ ଆଂଶିକ ଜମି ବିକ୍ରୟ ଉପରେ ନିଷେଧାଦେଶ ଜାରି କରାଯାଇଛି। ଫଳରେ ସ୍ବାସ୍ଥ୍ୟଗତ କାରଣ ବା ଅନ୍ୟ ଜରୁରିକାଳୀନ ପରିସ୍ଥିତିରେ ଆର୍ଥତ୍କ ଆବଶ୍ୟକତା ପୂରଣ ପାଇଁ ଆଂଶିକ ଜମି ବିକ୍ରିକରି ନ ପାରି ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏସ୍‌ଡିଏ ପକ୍ଷରୁ କେଉଁ ପରିସ୍ଥିତିରେ ଉକ୍ତ ଆଦେଶ ଜାରି କରାଯାଇଛି, ପ୍ରକୃତରେ ଏହା ରେରା ଆଇନ ଅନ୍ତର୍ଭୁକ୍ତ ନା ନାହିଁ ତାହାର ତର୍ଜମା କରାଯିବ। ପ୍ରକୃତପକ୍ଷେ ସହରର ବିକାଶ ଯୋଜନା ଅନୁସାରେ ଆଂଶିକ ଜମି ବିକ୍ରୟକୁ ଅନୁମତି ପ୍ରଦାନ କରାଯିବା ଆବଶ୍ୟକ। ଏହାକୁ ନେଇ ଏସ୍‌ଡିଏ କର୍ତ୍ତୃପକ୍ଷ, ଡିଏସ୍‌ଆର୍‌, ରାଜସ୍ବ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ସେ ସମ୍ବଲପୁର ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ହେଲେ ରେରା ଆଇନର ସଂଶୋଧନ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।
ସେହିପରି କାମ ନ ଥାଇ ବାରମ୍ବାର ଅଫିସ୍‌କୁ ଆସୁଥିବା ଯେକୌଣସି ବ୍ୟକ୍ତିବିଶେଷଙ୍କୁ ଜମି ଦଲାଲ ବୋଲି ଧରାଯିବ। ସିସିଟିଭି ଫୁଟେଜ୍‌ ଆଧାରରେ ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ଫଟୋକୁ ଡିଏସ୍‌ଆର୍‌ ଅଫିସ୍‌ କାନ୍ଥରେ ଲଗାଯିବ। ସେହିପରି ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପୂଜାରୀ ବିଭିନ୍ନ କାର୍ଯ୍ୟରେ ଡିଏସ୍‌ଆର୍‌ କାର୍ଯ୍ୟାଳୟ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଏହାସହ ସ୍ଲଟ୍‌ ବୁକିଂ କରି କାର୍ଯ୍ୟାଳୟକୁ ପଞ୍ଜୀକରଣ ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିବା ତଥା ସେମାନେ ଡିଏସ୍‌ଆର୍‌ଙ୍କ ସେବାରେ ସନ୍ତୁଷ୍ଟ ବା ଅସନ୍ତୁଷ୍ଟ ତା’ର ମଧ୍ୟ ହିସାବ କରି ରାଜସ୍ବ ବିଭାଗକୁ ଜଣାଇବା ପାଇଁ ସେ ଡିଏସ୍‌ଆର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share