କେନ୍ଦୁଝରରୁ ଅଲଗା ହେବେନି ଘଟଗାଁବାସୀ

ଘଟଗାଁ,୧୭।୪(ଡି.ଏନ.ଏ.): କେନ୍ଦୁଝର ଜିଲାକୁ ବିଭାଜନ କରି ଆନନ୍ଦପୁର ଉପଖଣ୍ଡକୁ ଏକ ନୂତନ ଜିଲା କରିବାକୁ ଆନନ୍ଦପୁରରେ ଗଣଧାରଣା ଜାରି ରହିଛି। ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ଶନିବାର ଘଟଗାଁ ପାଲା ମଣ୍ଡପରେ ଏକ ଦଳ ମତ ନିର୍ବିଶେଷରେ ବୁଦ୍ଧିଜିବୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଘଟଗାଁ କିଷାନ ମଜଦୁର ସଂଘ ସଭାପତି ରଶ୍ମିରଞ୍ଜନ ରାଉତ ସଭାପତିତ୍ୱ କରିଥିଲେ। ଘଟଗାଁ ବ୍ଲକ୍‌ ରାଜ୍ୟରେ ମା’ ତାରିଣୀଙ୍କ ପାଇଁ ପରିଚିତ। ତେଣୁ ଘଟଗାଁବାସୀ କୌଣସି ପରିସ୍ଥିତିରେ କେନ୍ଦୁଝରଠାରୁ ଅଲଗା ହେବେ ନାହିଁ ବୋଲି ସର୍ବଦଳୀୟ ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ଅଖଣ୍ଡ କେନ୍ଦୁଝର ଜିଲା ରହିଲେ ଭଲ ଯଦି ଆନନ୍ଦପୁର ନୂଆ ଜିଲା ହେଉଛି ତାହା ମଧ୍ୟ ସ୍ବାଗତ ଯୋଗ୍ୟ, କିନ୍ତୁ ଘଟଗାଁ ବ୍ଲକ୍‌ କେବେ ବି ଆନନ୍ଦପୁର ଜିଲାରେ ମିଶିବାକୁ ଦିଆଯିବ ନି ବୋଲି ସମସ୍ତେ ମତ ରଖିଥିଲେ। ଆଗକୁ ଏକ ସୂତନ୍ତ୍ର କମିଟି କରି ପ୍ରତ୍ୟେକ ପଞ୍ଚାୟତରେ ବୈଠକ କରି ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା। ବୈଠକରେ ବିକାଶ ପରିଷଦର ସଭାପତି ସେକ ମୋବିନ, ସମ୍ପାଦକ ସଞ୍ଜୟ ମିଶ୍ର, ବିଜେଡି ନେତା ରବୀନ୍ଦ୍ର ମହାନ୍ତ, ପୂର୍ବତନ ସରପଞ୍ଚ କୁଳମଣି ନାୟକ, ବିଜେଡି ବ୍ଲକ୍‌ ସମ୍ପାଦିକା ଗୀତା ନାଏକ, କଂଗ୍ରେସ ନେତା ସୁରେନ୍ଦ୍ର ପଟ୍ଟନାୟକ, ବରିଷ୍ଠ ନେତା ଗୋବର୍ଦ୍ଧନ ବେହେରା, ବିଜେପି ନେତା ରୁଦ୍ର ପ୍ରସାଦ ବେହେରା, ମଣ୍ଡଳ ସଭାପତି ଗୋଲୋକ ବଳ, ବିଜେପି ଯୁବ ସଭାପତି ସତ୍ୟମ ଦେହୁରୀ, ବରିଷ୍ଠ ନାଗରିକ ଗୋଲବାସ ଦେହୁରୀ, ହିମାଂଶୁ ଦେହୁରୀ, ବାବୁଲାଲ ବେହେରା ଓ ବଜରଙ୍ଗ ଦଳର ବହୁ କର୍ମକର୍ତ୍ତା, ବୁଦ୍ଧିଜୀବୀ ଯୋଗଦେଇଥିଲେ।