କଅଁଳ କାନ୍ଧରେ ୩ ଭଉଣୀ, ଭାଇଙ୍କ ଦାୟିତ୍ୱ

ନବରଙ୍ଗପୁର,୧୫।୫(ବି.ପ୍ର.): ଏକାକରି ଆରପାରିକୁ ଚାଲିଗଲେ ମା’, ବାପା। ଏବେ ବଡ଼ ଝିଅର କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଦାୟିତ୍ୱ। ମାତ୍ର ୧୬ ବର୍ଷ ବୟସରେ ପାଠପଢ଼ାରେ ମନଦେବା ବଦଳରେ ମନକୁ ଦୃଢ଼ କରି ତିନି ଭଉଣୀ ଭାଇଙ୍କୁ ମଣିଷ କରିବାର ସାହସ କରିଛନ୍ତି। ସେ ହେଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ପଞ୍ଚାୟତ ବିରିଗୁଡ଼ା ଗ୍ରାମର ତୁଳାରାମ ଭତରାଙ୍କ ଝିଅ ମମତା।
ତୁଳାରାମ ସ୍ତ୍ରୀ ସନାଇ, ଦୁଇ ଝିଅ ଏବଂ ଦୁଇ ପୁଅକୁ ଦୀର୍ଗ ବର୍ଷ ଧରି ଗାଁରେ ରହୁଥିଲେ। ଶ୍ରମିକଭାବେ କାମ କରି ସେ ପରିବାର ଚଳାଉଥିଲେ। ୨୦୨୧ ଜାନୁୟାରୀରେ ତୁଳାରାମଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସନାଇ ବହୁ କଷ୍ଟରେ ପରିବାର ଚଳାଉଥିଲେ। ହେଲେ ୪ ପିଲାଙ୍କ ଭାଗ୍ୟରେ ଦୁଃଖ ଏତିକିରେ ସୀମିତ ନ ଥିଲା। ଚଳିତ ବର୍ଷ ଜାନୁୟାରୀରେ ମା’ ମଧ୍ୟ ଆରପାରିକୁ ଚାଲିଗଲେ। ଏହା ପରଠାରୁ ୪ ପିଲା ଦାଦାଙ୍କ ପାଖରେ ରହୁଛନ୍ତି। ଦାଦାଙ୍କର ମଧ୍ୟ ୪ ସନ୍ତାନ ଥିବାରୁ ୧୦ ପ୍ରାଣୀଙ୍କୁ ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇଥିବା ଖୁଡ଼ି ପ୍ରମିଳା କହିଛନ୍ତି। ମମତା ପାଠପଢ଼ାରେ ଡୋରି ବାନ୍ଧି ଶ୍ରମିକଭାବେ କାମ କରି ଅଳ୍ପ କିଛି ରୋଜଗାର କରୁଛନ୍ତି। ଅନେକ ସମୟରେ ଠିକ୍‌ରେ ଖାଇବାକୁ ମଧ୍ୟ ପାଉନାହାନ୍ତି। ତିନି ଭଉଣୀ ଭାଇଙ୍କୁ କିପରି ସମ୍ଭାଳିବେ ଚିନ୍ତା କରିପାରୁ ନାହାନ୍ତି ବୋଲି ମମତା କୋହଭରା କଣ୍ଠରେ କହିଛନ୍ତି।
ସରକାରଙ୍କୁ ମମତା ଏବଂ ୩ ଭଉଣୀ ଭାଇଙ୍କ ପଢ଼ିବା, ରହିବା ଏବଂ ଖାଦ୍ୟର ବ୍ୟବସ୍ଥା କରିବାକୁ ଖୁଡ଼ି ଏବଂ ପଡ଼ୋଶୀ ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲା ଶିଶୁ ସୁରକ୍ଷା ସୁରେଶ ପଟ୍ଟନାୟକ ଏବଂ ବିଭାଗର ଅଧିକାରୀମାନେ ବିରିଗୁଡ଼ା ଗ୍ରାମକୁ ଯାଇ ୪ ଭଉଣୀ ଭାଇଙ୍କ ସହ ଅଲୋଚନା କରିଥିଲେ। ନବରଙ୍ଗପୁର ଆଇଟିଡିଏ ପିଏ ଅଭିମନ୍ୟୁ ମାଝି ମଧ୍ୟ ଗାଁକୁ ଯାଇ ପରିସ୍ଥିତି ବିଷୟରେ ଅବଗତ ହୋଇଥିଲେ। ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।