ମହାମାରୀରେ ବୟୋଜ୍ୟେଷ୍ଠଙ୍କ ଦାୟିତ୍ୱ

ସହଦେବ ସାହୁ

ଆମକୁ ଶାସନ କରୁଥିବା ନେତାମାନେ ସମସ୍ତେ ବୟୋଜ୍ୟେଷ୍ଠ। ବୟୋଜ୍ୟେଷ୍ଠମାନେ ଧର୍ମଭୀରୁ ହୋଇଥାଆନ୍ତି। ଭୋଟରମାନଙ୍କ ଧର୍ମବିଶ୍ୱାସକୁ ଖୋରାକ ଯୋଗାଇ ପାରିଲେ ଭୋଟ ପାଇବା ସହଜ ହେବ ବୋଲି ସେମାନଙ୍କ ଧାରଣା। ତେଣୁ ସେମାନେ ସାମୂହିକ ତୀର୍ଥଯାତ୍ରାକୁ ଉତ୍ସାହିତ କରନ୍ତି। ଲୋକରୁଣ୍ଡ ଭିତରେ ଜଣେ କରୋନା-ସଂକ୍ରମିତ ଥିଲେ ବି ୨୫-୩୦ ଜଣଙ୍କୁ ସଂକ୍ରମିତ କରିପାରିବ। ଯାହାର ଦେହରେ ରୋଗପ୍ରତିରୋଧକ ଶକ୍ତି (ଇମ୍ୟୁନିଟି) ଦୁର୍ବଳ ଥିବ, ତାକୁ କୋଭିଡ୍‌-୧୯ ରୋଗ ଘାରିବ। ମଣିଷ ବାହକ ହୋଇଥିବାରୁ ମଣିଷଠାରୁ ଦୂରେଇ ରହିବା ଦରକାର, ତେଣୁ ସୋସିଆଲ୍‌ ଡିଷ୍ଟାନ୍ସିଂ (ସାମାଜିକ ଦୂରତା, ସଙ୍ଗରୋଧ ବି)। ଯେମିତି ମଶା ହେଉଛି ମ୍ୟାଲେରିଆ ପାରାସାଇଟ୍‌ର ବାହକ (ଭେକ୍ଟର), ମଣିଷ ହେଉଛି କରୋନା ଭୂତାଣୁର ବାହକ। ଫରକ ଏତିକି ଯେ, ମଶା ଶୁଣ୍ଢ ବାଟେ ଫୋଡ଼ି ତା’ ଲାଳ ଛାଡ଼େ, ମଣିଷର କଥା ବା ଶ୍ୱାସ ଅଦୃଶ୍ୟ ପିଚକାରି ଭଳି ଲାଳ (ମ୍ୟୁକସ୍‌ ବା ଶ୍ଳେଷ୍ମା) ଫୋପାଡ଼େ, ଲାଳର ଟୋପା ବା ବିନ୍ଦୁ ଆକାର ଯେତେ ଛୋଟ ହେବ ସେତେ ଦୂର ଯାଇପାରେ, ଆମେ କହୁ ଛେପ ବା ସିଂଘାଣି ପଡ଼ିଲା। ତା’ରି ଭିତରେ ଭୂତାଣୁ ଥାଏ। କୁମ୍ଭମେଳା ପୂର୍ବରୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କହିଥିବାର ଶୁଣାଯାଏ ଯେ, କୁମ୍ଭମେଳା ସମୟରେ ହରିଦ୍ୱାରର ଗଙ୍ଗା ଜଳ ଏତେ ପବିତ୍ର ଯେ ସ୍ନାନରେ କରୋନା ଭୂତାଣୁ ମରିଯିବେ। ଫଳରେ ମାର୍ଚ୍ଚ ୩୧ରୁ ଏପ୍ରିଲ ୨୪ ଭିତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଗଙ୍ଗାସ୍ନାନ କଲେ। କେବଳ ଏପ୍ରିଲ ୧୨ ଓ ୧୪ ଦିନ ଯଥାକ୍ରମେ ୩୫ ଲକ୍ଷ ଓ ୧୩.୫୧ ଲକ୍ଷ ଲୋକ ହରିଦ୍ୱାରରେ ଜମିଥିଲେ। ଚାରିଆଡ଼ୁ ସମାଲୋଚନା ହେବାରୁ ପ୍ରଧାନମନ୍ତ୍ରୀଙ୍କ ଧର୍ମନିଦ ଭାଙ୍ଗିଲା, ତଥାପି ସେ ମହାକୁମ୍ଭ ମେଳା ବନ୍ଦ ନ କରି ସାଙ୍କେତିକ ସ୍ନାନ କରିବାକୁ ଧର୍ମଗୁରୁମାନଙ୍କୁ ଆହ୍ବାନ ଦେଲେ: ଧର୍ମ ଆଗ, ସ୍ବାସ୍ଥ୍ୟ ପଛ। ସେମାନଙ୍କ ପାଇଁ ‘ଶରୀରମ୍‌ ଆଦ୍ୟମ୍‌ ଖଳୁ ଧର୍ମ ସାଧନମ୍‌’ ଆପ୍ତ ବାକ୍ୟ ନୁହେଁ। ଧର୍ମଯାତ୍ରାରୁ ଜନ୍ମ ନେଲା ସ୍ବାସ୍ଥ୍ୟ ବିପର୍ଯ୍ୟୟ: ୨୫ ଦିନର ମେଳା ପରେ ଉତ୍ତରାଖଣ୍ଡରେ ଆକ୍ଟିଭ୍‌ କୋଭିଡ୍‌-୧୯ ଆକ୍ରାନ୍ତ ସଂଖ୍ୟା ୧୮୦୦% ବଢ଼ିଯାଇଛି। ଯେଉଁ ନେତାମାନେ ଏ ପ୍ରକାର ମେଳା ପାଇଁ ବାଃ ବାଃ ନେଉଥିଲେ, ସେମାନଙ୍କ ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଛନ୍ତି। ଏହି ବୟୋଜ୍ୟେଷ୍ଠମାନେ ଭାବନ୍ତୁ, ସେମାନଙ୍କ ଧର୍ମଭାବନା କେତେ ଅବିବେକୀ (ଇଂଲିଶ୍‌ରେ ମିସ୍‌ପ୍ଲେସ୍‌ଡ)। ସେମାନେ ଏବେ ଆଗେଇ ଆସନ୍ତୁ, କମ୍‌ ବୟସ୍କମାନଙ୍କୁ ଚେତାଇ ଦିଅନ୍ତୁ, ମହାମାରୀ ସମୟରେ ସଙ୍ଗରୋଧ ବା ସାମାଜିକ ଦୂରତା ଶ୍ରେୟ ବା ଧର୍ମ ହେବା ଉଚିତ। ପାଟି ବା ନାକରୁ କଥା ବା ଶ୍ୱାସ ଜରିଆରେ ଯେଉଁ ତରଳ ବାଷ୍ପୀୟ ବିନ୍ଦୁ ଛିଟିକି ଆସେ, ତା’ ଭିତରେ କରୋନା ଭୂତାଣୁ ଥାଇପାରେ, ଆମ ନାକ ବା ପାଟି ଭିତରେ ପଶିଲେ ଆମକୁ ଘାରିବ। ବାହାରକୁ ନ ଯାଇ ନିଜ ଘର ଓ ବାଡ଼ି ଭିତରେ ବୁଲାବୁଲି କରିବା। ଧର୍ମ ଭିତରେ ବିଜ୍ଞାନ (ବିଶେଷ ଜ୍ଞାନ) ପୂରାଅ, ଈଶ୍ୱର ଆଉ ମଣିଷ ଭିତରେ ସମ୍ପର୍କ ଏକାନ୍ତ ହେବା କଥା, ଦେଖାଣିଆ ଉପଚାର ଧର୍ମ ନୁହେଁ। ତେଣୁ କମ୍ୟୁନିଟି ୱର୍‌ଶିପ୍‌ ନୁହେଁ, ବ୍ୟକ୍ତି ଓ ପରମାତ୍ମା ଭିତରେ ସିଧାସଳଖ ସମ୍ପର୍କ ରକ୍ଷା କର, ନିଜ ସାମ୍‌ନାରେ ଈଶ୍ୱରଙ୍କୁ ଦେଖିବାକୁ ଚେଷ୍ଟା କର। ଯଦି ନିରାକାରଙ୍କୁ ମୂର୍ତ୍ତି ରୂପରେ ଦେଖିବାକୁ ଚାହଁ ତେବେ ଘର ଭିତରେ ତାଙ୍କୁ ମୂର୍ତ୍ତିବନ୍ତ କର, ଉପାସନା କର, ମନକୁ ତାଙ୍କଠାରେ ଅର୍ପଣ କର, ପ୍ରାର୍ଥନା କର, ଶାନ୍ତି ମିଳିବ। ଭୋଗ ଦେଇ ଯେଉଁ ସାନ୍ତ୍ୱନା ମିଳେ, ତାହା କାରବାରର କଥା। ଭଗବାନ୍‌ ସବୁ ବସ୍ତୁ ତିଆରି କରିଛନ୍ତି, ତୁମକୁ ବି ତିଆରି କରିଛନ୍ତି, ତାଙ୍କୁ ତୁମେ କ’ଣ ଦେବ ନିଜର ଭକ୍ତିଭାବ ଛଡ଼ା? ତୁମର ବ୍ୟବହାରରେ ଅସ୍ବାଭାବିକତା ହିଁ ତୁମକୁ ଦୁଃଖରେ ପକାଉଛି, ସ୍ବାଭାବିକ ହୁଅ। ତୁମେ ମଣିଷ ଗଢ଼ିବ ବୋଲି ଭଗବାନ୍‌ ତୁମକୁ ମଣିଷ କରିଛନ୍ତି, ଯେମିତି ମାଙ୍କଡ଼ ମାଙ୍କଡ଼ ଗଢ଼ିବ ବୋଲି ଈଶ୍ୱର ମାଙ୍କଡ଼ ଗଢ଼ିଛନ୍ତି। ତେଣୁ ମଣିଷ ଗଢ଼, ଅମଣିଷ ନୁହେଁ। ଗଢ଼ିବାରେ ଭୁଲ କଲେ ପିଲାର ରୋଗବାଗ ଆସିବ, ପିଲା ବିକଳାଙ୍ଗ ହେବ।
କରୋନା ଆଉ ଗୋଟିଏ ଶିଖାଇଲା- ଠାକୁର ଆଉ ଭକ୍ତ ଭିତରେ ସମ୍ପର୍କକୁ ଲୋକଦେଖାଣିଆ କରିବା ଉଚିତ ନୁହେଁ। ଭଗବତ୍‌ ଭାବନା ବ୍ୟକ୍ତିଗତ। ଠାକୁରଙ୍କୁ ଭକ୍ତି କରୁଛ ବୋଲି ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା କ’ଣ ଦରକାର? ଠାକୁର କ’ଣ ଏମ୍‌ଏଲ୍‌ଏ ନା ଏମ୍‌ପି ପ୍ରାର୍ଥୀ ଯେ ବେଶି ଲୋକ ଜମା ହୋଇଗଲେ ସେ ନିଜକୁ ବେଶି ଭକ୍ତ(ଜନ)ପ୍ରିୟ ବୋଲି ପ୍ରଚାର କରିବେ? କମ୍ୟୁନିଟି ଗାଦରିଂ ବା ସାମୂହିକ ପୂଜାପାଠ ଦରକାର ନାହିଁ। ନିଜ ସ୍ଥାନରେ ମନଧ୍ୟାନ ଦେଇ ଠାକୁରଙ୍କୁ ପୂଜା କରିହେବ ନାହିଁ କି? ସେ କ’ଣ କେବଳ ମନ୍ଦିର, ଗିର୍ଜା, ସିନାଗଗ୍‌ ବା ମସ୍‌ଜିଦ୍‌ ଭିତରେ ଶୁଣିବେ? କବୀର ପରା କହିଥିଲେ, ଆଲ୍ଲା କ’ଣ କାଲା ଯେ ତାଙ୍କୁ ଉଚ୍ଚ ସ୍ଥାନରୁ ବଡ଼ ପାଟିରେ ଡାକିବାକୁ ପଡ଼ିବ? ଭଗବାନ୍‌ କ’ଣ ସବୁବେଳେ ଅନ୍ଧକାର ଭିତରେ ନିଦରେ ଶୋଇଥା’ନ୍ତି ଯେ ଘଣ୍ଟଖୋଳ ବଜାଇ, ଦୀପ ଜଳାଇ ତାଙ୍କୁ ଉଠାଇବ? ତୁମ ଘର ହିଁ ଦେବାଳୟ!
କମ୍‌ ଲୋକଙ୍କ ପରୀକ୍ଷା ହୋଇଥିବାରୁ ଆଗ କରୋନା ଲହରରେ ଠିକ୍‌ କେତେ ଜଣ ସଂକ୍ରମିତ ହୋଇଥିଲେ କହି ହୋଇ ନ ଥିଲା। ଏବେ ଟିକେ ବେଶି ପରୀକ୍ଷା ହେଉଥିବାରୁ ଦ୍ୱିତୀୟ ଢେଉରେ ବେଶି ସଂକ୍ରମଣ ହିସାବକୁ ଆସିଛି। ଅଗଷ୍ଟ-ସେପ୍ଟେମ୍ବର ୨୦୨୦ରେ ଯେଉଁ ସେରୋଲଜିକାଲ୍‌ ସର୍ଭେ କରାଯାଇ ସରକାରଙ୍କୁ ଯେଉଁ ଭାଇରସ୍‌ ସଂକ୍ରମଣ ରିପୋର୍ଟ ମିଳୁଥିଲା, ସେଥିରୁ ଜଣାପଡ଼ିଥିଲା ଯେ ଜଣେ ଲୋକ ୨୬ରୁ ୩୨ ଯାଏ ଲୋକଙ୍କୁ ସଂକ୍ରମଣ କରିପାରିବାର ସମ୍ଭାବନା ଅଛି। ଏହାର ମାନେ ପ୍ରତି ୩୦ ଲୋକ ସଂକ୍ରମିତ ହୋଇଥିଲେ ହେଁ ଜଣେ ମାତ୍ର ଚିହ୍ନଟ ହେଉଥିଲା। ତେଣୁ ଯେଉଁ ସଂଖ୍ୟା ରିପୋର୍ଟରେ ବାହାରୁଛି, ତାହାର ୩୦ ଗୁଣ ଲୋକ ଭାଇରସ୍‌ ଦାଉରେ ପଡ଼ିଥିବେ, ଅର୍ଥାତ୍‌ ଏଯାଏ ଭାରତରେ ୪୦ କୋଟି ଲୋକ ସଂକ୍ରମିତ ହୋଇସାରିବେଣି। ପୂରା ୟୁଏସ୍‌ଏ ଲୋକସଂଖ୍ୟାର ପ୍ରାୟ ୨ଗୁଣ।
ଏ ପର୍ଯ୍ୟନ୍ତ ୧୪ କୋଟି ପାନ ଟିକା ଦିଆଯାଇଛି, ମାନେ ୫ କୋଟି ଲୋକଙ୍କୁ ସମ୍ପୂର୍ଣ୍ଣ ଟିକା ଦିଆଯିବା ସାଙ୍ଗେ ସମାନ। ସେମାନେ ପୁଣି ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ବୟସର ଲୋକ ଏବଂ ଫ୍ରଣ୍ଟଲାଇନ୍‌ ୱାର୍କର୍‌। ୧୩୫ କୋଟି ଭାରତୀୟଙ୍କୁ ଟିକା ଦେଇସାରିବା ବେଳକୁ ଆଉ ଥରେ ଟିକା ଦେବା ବେଳ ଆସିଯାଇଥିବ!
ସେହି ଆନୁପାତିକ ହିସାବରେ କୋଭିଡ୍‌ରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ନୁହେଁ, ୩୦ ଅନୁପାତ (ଫାକ୍ଟର)ରେ ନେଲେ ୬୦ ଲକ୍ଷ ହେବା କଥା। କିନ୍ତୁ ସତକଥା ଜାଣି ହେଉନି। ସହଜେ ତ ଭାରତରେ କିଏ କେଉଁ ରୋଗରେ ମରିଛି ତାହାର ହିସାବ ନ ଥାଏ। ଏଠି ଯେତେ ଲୋକ ମରନ୍ତି, ତାହାର ୮୦%ଙ୍କର ତ ମେଡିକାଲ୍‌ ହିଷ୍ଟ୍ରି ନାହିଁ। ଆମ ସରକାର ଯେତେବେଳେ ମୃତ୍ୟୁସଂଖ୍ୟା ହାର ଜନସଂଖ୍ୟାର ୧.୨୫%, ବା ବିଶ୍ୱରେ ନୂ୍ୟନତମ (ୟୁଏସ୍‌ଏରେ ୧.୮% ଓ ବ୍ରାଜିଲ୍‌ରେ ୨.୬%) ପ୍ରଚାର କଲା; ଆମେ ଗୋଟିଏ କାହାଣୀ ପ୍ରଚାର କରିଦେଲୁ ଯେ ଭାରତୀୟମାନଙ୍କ ସଂକ୍ରମଣ ସହିବା ଶକ୍ତି ବେଶି। ଏ କାହାଣୀ ଆମ୍ଭମାନଙ୍କୁ କେୟାର୍‌ଲେସ୍‌ କରିଦେଲା। ଏମିତି ଆତ୍ମସନ୍ତୋଷ ଆଣିଦେଲା ଯେ ଲୋକେ ମୁଖାପିନ୍ଧା ଛାଡ଼ିଦେଲେ, ୨ ମିଟର ଦୂରତା ରକ୍ଷା କରିବା ନିୟମକୁ ଛି ଛି କରିଦେଲେ, ହାତଗୋଡ଼ ଧୋଇବା ବନ୍ଦ କରିଦେଲେ, ଲୁଗାପଟା ତ ବଦଳାଇଲେ ନାହିଁ। ଶତ୍ରୁ ଯେତେ କ୍ଷୁଦ୍ର ବା ଦୁର୍ବଳ ମନେହେଉଥିଲେ ବି ଦୁର୍ବଳ ଭାବିବ ନାହିଁ ବୋଲି ଯେଉଁ ଆପ୍ତ ବାକ୍ୟ ଆମେ ଇତିହାସରେ ପଢ଼ିଆସିଛୁ ତାକୁ ସମସ୍ତେ ଭୁଲିଗଲେ। ଏବେ ସଂକ୍ରମଣ ହୁ ହୁ ବଢ଼ିଲା କି ନାହିଁ! ଫଳ ହେଲା ନୂଆ କରୋନାର ନୂଆ ଜୁଆର।
ପୁଣି ଚିକିତ୍ସା କ୍ଷେତ୍ରରେ ପଇସା ବା ଚିହ୍ନାପରିଚ ବେଶି କାମ ଦେଲା ବୋଲି ଗରିବ ଓ ନିମ୍ନଶ୍ରେଣୀର ଲୋକେ, ମାଇଗ୍ରାଣ୍ଟ ଓ ମଜୁରିଆମାନେ ଭୂତାଣୁର ଶିକାର ହେଲେ। ଏବେ ଘରକୁ ଦେବାଳୟ କରିବାର ବେଳ ଆସିଯାଇଛି, ଘର ବାହାରର ସମ୍ପର୍କ ଓ ଯୋଗାଯୋଗକୁ ଯେତେ କମାଇ ହେବ ତାହା କରିବାର ବେଳ ଆସିଛି। ଘରେ ରହି କର୍ମଜୀବୀ ହେବାର ସମୟ ଆସିଛି। କଳକାରଖାନା ପରିସର ପରିମଳ ବ୍ୟବସ୍ଥାର (ପବ୍ଲିକ୍‌ ହେଲ୍‌ଥର, ଅଣଡାକ୍ତରୀ ସ୍ବାସ୍ଥ୍ୟର) ଆଦର୍ଶ ସ୍ଥାନ ହେବା ଦରକାର।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri