Categories: ଖେଳ

ଆଇପିଏଲ୍‌ର ବାକି ମ୍ୟାଚ୍‌ ୟୁକେରେ ଆୟୋଜନ ହେବା ଉଚିତ: ପିଟରସନ

ଲଣ୍ଡନ,୯।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବାକି ମ୍ୟାଚ୍‌ ୟୁନାଇଟେଡ କିଙ୍ଗ୍‌ଡମ (ୟୁକେ)ରେ ଆୟୋଜନ ହେବା ଉଚିତ ବୋଲି ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍‌ ପିଟରସନ କହିଛନ୍ତି। କୋଭିଡ୍‌-୧୯ କାରଣରୁ ଆଇପିଏଲ୍‌ ସ୍ଥଗିତ ରହିଛି। ତେଣୁ ଏହି ହାଇପ୍ରୋଫାଇଲ ଲିଗ୍‌ ସେପ୍ଟେମ୍ବରରେ ଆୟୋଜନ ହେବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସେପ୍ଟେମ୍ବର ୧୪ରେ ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ସେପ୍ଟେମ୍ବରରେ ଏକ ଓ୍ବିଣ୍ଡୋ ରହିଛି ବୋଲି ପିଟରସନ କହିଛନ୍ତି। ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେଉ ବୋଲି କେତେକ ମନ୍ତବ୍ୟ ଦେଉଛନ୍ତି। ତେବେ ୟୁକେରେ ଏହା ଆୟୋଜନ ହେଉ। ଟେଷ୍ଟ ସିରିଜ ଶେଷ ହେଉଥିବାରୁ କେତେକ ଭାରତୀୟ ଖେଳାଳି ସେଠାରେ ରହିଥିବେ। ପୁଣି ସେପ୍ଟେମ୍ବରରେ ଇଂଲଣ୍ଡରେ ପାଗ କ୍ରିକେଟ ପାଇଁ ବେଶ୍‌ ଅନୁକୂଳ ରହିଥିବ। ମାଞ୍ଚେଷ୍ଟର, ଲିଡ୍ସ, ବର୍ମିଂହାମ ଓ ଲଣ୍ଡନର ଦୁଇଟି ଗ୍ରାଉଣ୍ଡ ମଧ୍ୟ ବ୍ୟବହାର କରାଯାଇପାରିବ। ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଲୋକେ ବହୁ ସଂଖ୍ୟାରେ ଗ୍ରାଉଣ୍ଡକୁ ଆସିବେ ମଧ୍ୟ। ଏବେ ଆଇପିଏଲ୍‌ ପାଇଁ ଇଂଲଣ୍ଡ ହିଁ ସବୁଠାରୁ ଶ୍ରେଷ୍ଠ ସ୍ଥାନ ି କୁହାଯାଇପାରେ ବୋଲି ସେ କହିଛନ୍ତି।
ଇଂଲିଶ କାଉଣ୍ଟି ଦଳ ମିଡ୍‌ଲସେକ୍ସ, ସରେ, ଓ୍ବାରଓ୍ବିକଶାୟାର ଓ ଲଙ୍କାଶାୟାର ଆଇପିଏଲ୍‌ର ବାକିଥିବା ୩୧ ମ୍ୟାଚ୍‌ ଆୟୋଜନ କରିବାକୁ ପ୍ରସ୍ତାବ ଦେବା ପରେ ପିଟରସନ ନିଜର ମନ୍ତବ୍ୟ ଦେଇଛନ୍ତି। ଉଲ୍ଲେଖଥାଉ କି କେତେଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ପଜିଟିଭ ବୋଲି ଜଣାପଡିବା ପରେ ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଥିଲା।

Share