ଗ୍ରାମବାସୀ ଧରିବାରେ ରାଜସ୍ବ ବିଭାଗର ନିଦ ଭାଙ୍ଗିଲା

ଖଇରା, ୧୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ବାଉଁଶଗଡିଆ କୋହ୍ଳସାହି ନିକଟରୁ ମୋରମ ଚୋରାଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀ ସୋମବାର ରାତିରେ ଏହାକୁ ଧରି ଖଇରା ତହସିଲଦାରଙ୍କୁ ଖବର ଦେଇଥିଲେ। ବଡ ଧରଣର ଗଣ୍ଡଗୋଳ ରୋକିବାକୁ ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା ମୋରମ ଉତ୍ତୋଳନରେ ବ୍ୟବହୃତ ଜେସିବି ଓ ମୋରମ ବୋଝେଇ ଟ୍ରକକୁ ଜବତ କରି ଖଇରା ଥାନା ପରିସରକୁ ଆଣିଛନ୍ତି। ଜବତର ୧୨ଘଣ୍ଟା ବିତିଯାଇଥିଲେ ହେଁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ପାରିବା ବିଭାଗର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଜବତ ପରେ ବାଉଁଶଗଡିଆ ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ମୋରମ ଓ ମାଙ୍କଡା ଚାଲାଣ ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରୁଛି।
ଯେ, ଶାରୀଶୁଆ ପାହାଡ ସଂଲଗ୍ନ ଉକ୍ତ କୋହ୍ଳସାହି, ରମଦା, ମହୁଲପଙ୍ଖା, ରଟିଣା, ବରପଦା, ବଗେଇପୁର ଓ ଆମ୍ବହତା ଆଦି ଗ୍ରାମ ନିକଟରେ ଅନ୍ୟୁନ ୨ବର୍ଷ ଧରି ମୋରମ ଓ ମାଙ୍କଡା ଖୋଳା ଚାଲିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ନିରୀହ ଆଦିବାସୀଙ୍କୁ ଢାଲ କରି ସେମାନଙ୍କ ନିକଟରୁ ଶାଗମାଛ ଦରରେ ଜମି ଲିଜ୍‌ରେ ଆଣି କିଛି କ୍ଷମତାଶାଳି ବ୍ୟକ୍ତି ମୋରମ ଓ ମାଙ୍କଡା ପଥରଚାଲାଣ କରି କୋଟି କୋଟି ଟଙ୍କାର ଲାଭ କରୁଥିଲେ। ହେଲେ ସ୍ଥାନୀୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ରାଜସ୍ବ ବିଭାଗ ଜାଣି ନ ଜାଣିଲା ପରି ଚୁପ୍‌ ହୋଇ ବସିରହିଥିଲା। ଶେଷରେ ସ୍ଥାନୀୟ ଗ୍ରାମବାସୀ ଏକଜୁଟ ହୋଇ ମୋରମଚାଲାଣକାରୀଙ୍କ ଧମକକୁ ନ ଡରି ସାହସ ବାନ୍ଧି ଜେସିବି ମୋରମ ବୋଝେଇ ଗାଡିକୁ ଅଟକାଇଥିଲେ। ମୋରମ ଚାଲାଣକାରୀ ଓ ସ୍ଥାନୀୟ ଆଦିବାସୀ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଘଟଣା ବଢିବାକୁ ନ ଦେଇ ଖଇରା ତହସିଲଦାର ସଦଳବଳେ ବାଉଁଶଗଡିଆ କୋହ୍ଳସାହିରେ ପହଞ୍ଚି ମଙ୍ଗଳବାର ସକାଳେ ଗ୍ରାମବାସୀ ଅଟକ ରଖିଥିବା ଜେସିବି ଓ ମୋରମ ବୋଝେଇ ଟ୍ରକ ଧରି ଖଇରା ଥାନାକୁ ଆଣିଥିଲେ। ଏଭଳି ଧରପଗଡ ପରେ ବଡ ଧରଣର ମାଙ୍କଡା ଓ ମୋରମ ଲୁଟକୁ ପ୍ରମାଣିତ କରୁଛି। ବହୁ କ୍ଷମତାଶାଳୀ ବ୍ୟକ୍ତି ଏଥିରେ ଜଡିତ ଥିବାରୁ ଘଟଣାକୁ ଚପାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଖଇରା ତହସିଲଦାରଙ୍କୁ ଯୋଗାଯୋଗ କରିବାରେ ଉକ୍ତ ଘଟଣା ଉପଜିଲାପାଳଙ୍କ ବିଚାରାଧୀନ ରହିଛି। ତାଙ୍କ ନିଷ୍ପତ୍ତି ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏଣୁ ଘଟଣାରେ ରାଜନୈତିକ ବ୍ୟକ୍ତି ତହସିଲରୁ ରାଜ୍ୟ ପର୍ଯ୍ୟନ୍ତ ଅଧିକାରୀ ଜଡିତ ଥିବାରୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।

Share