ଭୁବନେଶ୍ୱର,୨ା୧୨: ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଆବେଦନପତ୍ର ଗ୍ରହଣ କରାଯିବ ବୋଲି ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଗତ ନଭେମ୍ବର ୫, ୧୧ , ୧୯ ଏବଂ ୨୫ରେ ରାଜ୍ୟର ସମସ୍ତ ବୁଥ୍ରେ ସ୍ବତନ୍ତ୍ର ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବତନ୍ତ୍ର ଅଭିଯାନ ଦିବସଗୁଡ଼ିକରେ ଯଦି କୌଣସି ଭୋଟର ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ୍ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ସେମାନେ ଡିସେମ୍ବର ୯ (ଶନିବାର) ସୁଦ୍ଧା ଅନ୍ଲାଇନ୍ voters.eci.gov.in/Voters Help Line App ଦ୍ୱାରା କିମ୍ବା ସମ୍ପୃକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।