ଜୀବନର ଗତିପଥରେ କେତେ ଯେ ଘଟଣା ଘଟେ ତାହା ଅସୁମାରୀ, କିନ୍ତୁ କିଛି ଘଟଣା ମନ ଭିତରେ ଅପୂର୍ବ ଶିହରଣ ସୃଷ୍ଟି କରିଥାଏ। ଏଇ ଯେମିତି ପ୍ରଥମ ରୋଜଗାରର ଅନୁଭୂତି; ଯାହାକି ଏବେ ବି ଅଭୂଲା ହୋଇରହିଛି। ଘଟଣା ହେଲା ୧୯୭୨ ମସିହାର କଥା। ସେତେବେଳେ ମୁଁ ସେଣ୍ଟମେରୀ ଗାର୍ଲସ ସ୍କୁଲ, ସୁନ୍ଦରଗଡରେ ମାଟ୍ରିକ୍ ପଢୁଥାଏ। ମାଟ୍ରିକ୍ ଫାଇନାଲ୍ ପରୀକ୍ଷାରେ ଫାଷ୍ଟକ୍ଲାସ୍ ପାଇବାରୁ ସେବେ ମୋତେ ୧୦୦୦ ଟଙ୍କା ସ୍କଲାର୍ଶିପ୍ ମିଳିଥିଲା; ଯାହାକୁ ନେଇ ମୁଁ ମୋ ବାପାଙ୍କୁ ଦେଇଥିଲି। ବାପା ସେହି ଟଙ୍କାକୁ ଠାକୁରଙ୍କ ପାଖେ ରଖି ଦେଇଥିଲେ। ଠିକ୍ ଏହି ଘଟଣା ପୂନର୍ବାର ମୋ ସହିତ ଘଟିଲା ୧୯୮୪ ମସିହାରେ। ସେତେବେଳକୁ ମୋର ବାହାଘର ସରିଥାଏ। ୧୯୮୪ ମସିହା ମାର୍ଚ୍ଚ ୫ ତାରିଖରେ ରାଇକିଆସ୍ଥିତ ସେଣ୍ଟକାଥାରିନା ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଲି। ସେ ଅନୁଭୂତି ବି ଅବର୍ଣ୍ଣନୀୟ। ଏପ୍ରିଲ ମାସ ୨/୩ ତାରିଖ ଦିନ କ୍ଲାସରେ ପଢାଉଥିଲା ବେଳେ ପିଅନ ଆସି ଅଫିସକୁ ଯିବାକୁ କହିଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଡକେଇ ପଠେଇଥିଲେ। ଟିକେ ଡର, ଟିକେ ଉତ୍ତେଜନା ପୂର୍ଣ୍ଣ ମନରେ ଯାଇଥିଲି। ସେ ଟିକେ ହସି ମୋର ଦରମା ୭୮୫ଟଙ୍କା ମୋ ହାତକୁ ବଢାଇ ଦେଲେ। ଟଙ୍କା ତ ଅନେକ ଦେଖିଥିଲି ଆଉ ହାତରେ ବି ଧରିଥିଲି, କିନ୍ତୁ ଏହି ଦରମା ଟଙ୍କାର ମହତ୍ତ୍ବ କିଛି ଭିନ୍ନ ଥିଲା ମୋ ପାଇଁ। ଖୁବ୍ ଖୁସି ଥିଲି। ଘରକୁ ଆସି ସ୍ବାମୀକୁ ସେ ଟଙ୍କା ଦେବାରୁ; ସେ ବି ମୋ ବାପାଙ୍କ ପରି ଟଙ୍କାକୁ ନେଇ ଠାକୁରଙ୍କ ପାଖେ ରଖିଦେଲେ। ଅବଶ୍ୟ ପରେ ଆମେ ସେହି ଟଙ୍କା ଆଣି ଖର୍ଚ୍ଚ କରିଥିଲୁ କିନ୍ତୁ କେମିତି ଖର୍ଚ୍ଚ କଲୁ ତାହା ଏବେ ଆଉ ସ୍ପଷ୍ଟ ମନେପଡୁନି। କିନ୍ତୁ ଏତିକି ଖୁସି ଲାଗୁଛି ଯେ, ମୋର ପାରିଶ୍ରମିକ ଉପରେ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ରହି ଆସିଛି। ଯେଉଁଥିପାଇଁ ଚାକିରୀ କ୍ଷେତ୍ରରେ ଖୁବ୍ ଉନ୍ନତି କରିବା ସହ ଶିକ୍ଷାର୍ଥୀଙ୍କର ଅନେକ ଭଲ ପାଇବା ଓ ସମ୍ମାନ ପାଇଛି; ଯାହାକି ସବୁଠୁ ଅଧିକ ମୂଲ୍ୟବାନ। ତେବେ କେବଳ ଶିକ୍ଷୟିତ୍ରୀ ନୁହେଁ ମୁଁ ଉକ୍ତ ବିଦ୍ୟାଳୟର ଏନ୍ସିସି ଅଫିସର୍ ଭାବେ ବି ବେଶ୍ କିଛି ଦିନ ଦାୟିତ୍ୱ ତୁଲାଇଥିଲି। ଶେଷରେ ୨୦୧୬ ମେ’ ମାସରେ ଚାକିରିରୁ ଅବସର ନେଲି। ନିଜ ଜୀବନର ଅନେକ ଅନୁଭୂତିକୁ ନେଇ ମୁଁ ବେଳେବେଳେ ଫେସ୍ବୁକ୍ରେ ମୋ ଲେଖା ପୋଷ୍ଟ କରିଥାଏ; ଯାହାକୁ ପଢି ଅନେକେ ସୁନ୍ଦର ସୁନ୍ଦର ରିପ୍ଲାଏ ଦେଇଥାନ୍ତି; ଯାହା ମୋତେ ଖୁବ୍ ଆନନ୍ଦ ଦେଇଥାଏ। ଏବେ ପ୍ରକାଶିକା ଭାବେ ଆଉ ଏକ ପରିଚୟ ମୋର ସୃଷ୍ଟି ହୋଇଛି। ଏଥିରେ ମୋ ସ୍ବାମୀ କାବ୍ୟ ସାରଥି ପବନି ଜେନାଙ୍କର ୨୭ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି।