ଧାନ ବିଲ ଭ୍ରମ ସୃଷ୍ଟି କରୁଛି ସ୍ବାସ୍ଥ୍ୟକେନ୍ଦ୍ର ଛାତ

ଖଣ୍ଡପଡା,୧୦ା୮(ସ୍ବ.ପ୍ର.): ସରକାରୀ ବାସଭବନଗୁଡ଼ିକର ମରାମତି ବାବଦରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏଠାରେ ରହୁଥିବା କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ଏହି ବାସଭବନଗୁଡ଼ିକର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଯାହାର ଉଦାହରଣ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ବାସଭବନ ଛାତକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି। ଗ୍ରୀଷ୍ମ ଋତୁରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଛାତ ଉପରେ ନଡା ବିଛାଇଥିଲେ। ଗ୍ରୀଷ୍ମଋତୁ ଯାଇ ଏବେ ବର୍ଷା ଋତୁ ଚାଲିଥିଲେ ମଧ୍ୟ ଛାତ ଉପରୁ ନଡା ବିଡାଗୁଡିକ ସଫା କରାଯାଇନାହିଁ। ଫଳରେ ଏବେ ସେଥିରେ ଥିବା ଧାନ ଗଜା ହୋଇ ଗଛ ଉଠିଛି। ଏହା ଦୂରରୁ ଏକ ଧାନ ବିଲର ଭ୍ରମ ସୃଷ୍ଟି କରୁଛି। ଧାନଗଛଗୁଡିକ ଯୋଗୁ ବାସଭବନ ଛାତ ନଷ୍ଟ ହୋଇଯିବା ସମ୍ଭାବନା ରହିଛି। ଏ ସମ୍ପର୍କରେ ଖଣ୍ଡପଡା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ପ୍ରଦୀପ କୁମାର ପରିଡା କହିଛନ୍ତି, ଖରାଦିନ ପରେ ସମ୍ପୃକ୍ତ ବାସଭବନ ଛାତ ଉପରୁ ନଡାଗୁଡିକ ସଫା କରିବାକୁ ବିଭାଗୀୟ କର୍ମଚାରୀଙ୍କୁ କୁହାଯାଇଥିଲା। ଏଥିରେ ବିଳମ୍ବ ହୋଇଛି। ତେବେ ଖୁବଶୀଘ୍ର ଏଗୁଡ଼ିକୁ ହଟାଇ ଦେବାର ବ୍ୟବସ୍ଥା କରାଯିବ।