ସଂତୃପ୍ତ ସବୁଠୁ ଧନୀ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା

ଭୁବନେଶ୍ୱର, ୧୭ା୫:ଆସନ୍ତା ୨୫ରେ ହେବାକୁ ଥିବା ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ ଲୋକ ସଭା ଆସନ ପାଇଁ ୬୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣ(୪୪%) କୋଟିପତି ହୋଇଥିବା ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର୍‌) ପ୍ରକାଶ କରିଛି। ଏହି ପର୍ଯ୍ୟାୟରେ ବିଜେଡିର ସମସ୍ତ ୬ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ଭାଜପା ଏବଂ କଂଗ୍ରେସର ୪ ଜଣ ଲେଖାଏ ପ୍ରାର୍ଥୀ କୋଟିପତି ରହିଛନ୍ତି। ସେହିପରି ଏହି ପର୍ଯ୍ୟାୟରେ ସମସ୍ତ ଲୋକ ସଭା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧୧.୮୦ କୋଟି ଟଙ୍କା ରହିଛି। ବିଜେଡି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୯୫ କୋଟି ହୋଇଥିବାବେଳେ ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ଯଥାକ୍ରମେ ୫ କୋଟି ଏବଂ ୨ କୋଟି ରହିଛି। କଟକ ଲୋକ ସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଥିବା ସଂତୃପ୍ତ ମିଶ୍ର ହେଉଛନ୍ତି ଏହି ପର୍ଯ୍ୟାୟର ସବୁଠାରୁ ଧନୀ ପ୍ରାର୍ଥୀ। ତାଙ୍କର ମୋଟ ୪୮୨ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି। ସେହିପରି ପୁରୀ ଲୋକ ସଭା ଆସନର ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ କୁମାର ବରାଳ ହେଉଛନ୍ତି ସବୁଠାରୁ ଗରିବ ପ୍ରାର୍ଥୀ। ତାଙ୍କର ମାତ୍ର ୪,୦୩୨ ଟଙ୍କାର ସମ୍ପତ୍ତି ଥିବା ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରୁ ଏଡିଆର୍‌ ପ୍ରକାଶ କରିଛି। ଅନ୍ୟପକ୍ଷରେ ୬୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣକ ବିରୋଧରେ ଆପରାଧିକ ମାମଲା ରହିଛି। ସୂଚନାଯୋଗ୍ୟ, ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ, ପୁରୀ ଏବଂ ସମ୍ବଲପୁର ଲୋକ ସଭା ଆସନରେ ମତଦାନ ହେବ।

Share