ଦୟାନଦୀ ଡାହାଣ ପାର୍ଶ୍ୱ ନଦୀବନ୍ଧ ଭୁଶୁଡ଼ିଲା

କଣାସ,୧୦।୨(ସ୍ବ.ପ୍ର.): କଣାସ ବ୍ଲକରେ ପ୍ରବାହିତ ହେଉଥିବା ମୁଖ୍ୟନଦୀ ଦୟାନଦୀର ବାମ ପାର୍ଶ୍ୱ ନଦୀବନ୍ଧ ବସନ୍ତପୁର ନିକଟରେ ୧୦୦ ମିଟରରୁ ଊର୍ଦ୍ଧ୍ୱ ଗତ ୩୦ ତାରିଖରେ ନଦୀ ଗର୍ଭକୁ ଭୁଶୁଡି ପଡ଼ିଥିଲା। ବୁଧବାର ଦୟାନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ ପ୍ରାୟ ୧୫୦ ଫୁଟରୁ ଊର୍ଦ୍ଧ୍ୱ ଫାଟିଯାଇ ଭୁଶୁଡି ଯାଇଥିବାରୁ ଚୁପୁରିଙ୍ଗି, କାଳିଘଡ଼ି, ପାହିଲୁଣ୍ଡି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ନଦୀବନ୍ଧ ଭୁଶୁଡିବାକୁ ନେଇ ଖୋର୍ଦ୍ଧା ଜଳସେଚନ ବିଭାଗ ଏବଂ ଡ୍ରେନେଜ ବିଭାଗ ଅଧିକାରୀଙ୍କ ମଧ୍ୟରେ ଘଟଣାସ୍ଥଳରେ ଦିନତମାମ ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ କହିବା ମୁତାବକ, ପୂର୍ବରୁ ଭୁଶୁଡିଥିବା ନଦୀବନ୍ଧ ଜାଗାରେ ଗୋଟିଏ ବରଗଛ ଥିଲା ା ବରଗଛ ଚେର ମଧ୍ୟରେ ବନ୍ୟା ପାଣି ନଦୀରୁ ଅପର ପାର୍ଶ୍ୱକୁ ଘଳିଆ ପଡ଼ି ବନ୍ୟାଜଳ ପ୍ରବେଶ କରୁଥିଲା। ଉକ୍ତ ନଦୀ ବନ୍ଧଟି ଖୋର୍ଦ୍ଧା ଜଳସେଚନ ବିଭାଗର ହୋଇଥିଲେ ମଧ୍ୟ ନଦୀବନ୍ଧ ଦୃଢ ମରାମତି ହୋଇ ନ ଥିଲା। ଦୟା ନଦୀକୁ ଲାଗି ବନ୍ଧଟି ଥିବାରୁ କିଛି ଦିନ ହେଲା ଦୟାନଦୀ ଡ୍ରେଜିଂ ଚାଲିଛି। ନଦୀବନ୍ଧଠାରୁ ୧୫ ମିଟର ଛାଡି ନଦୀ ଶଯ୍ୟା ଖନନ କରାଯାଉଥିବା ଡ୍ରେନେଜ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ପଣ୍ଡା କହିଛନ୍ତି। କିନ୍ତୁ ନଦୀରୁ ଖୋଳା ଯାଉଥିବା ପଙ୍କ ଓ ପାଣି ମିଶ୍ରିତ ନଦୀର ଅପର ପାର୍ଶ୍ୱରେ ଜମା ହେଉଥିବାବେଳେ ପୂର୍ବରୁ ଘଳିଆ ପଡ଼ିଥିବା ସ୍ଥାନରେ ପଙ୍କ ମିଶ୍ରିତ ପାଣି ଘଳିଆ ବାଟଦେଇ ନଦୀକୁ ଆସିବାରୁ ଉକ୍ତ ସ୍ଥାନଟି ଭୁଶୁଡି ପଡିଥିବା ଗ୍ରାମବାସୀ କହିଛନ୍ତି। ଘଟଣାସ୍ଥଳରେ ଡ୍ରେନେଜ ବିଭାଗର ଏସ୍‌ସି ଆଶିଷ ମିଶ୍ର, ଏସ୍‌ଡିଓ ପ୍ରଦୀପ ଜେନା, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ପଣ୍ଡା ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଖୋର୍ଦ୍ଧା ଜଳସେଚନ ବିଭାଗର ବିଘ୍ନରାଜ ପୁରୋହିତ, ଏସ୍‌ଡିଓ ଅକ୍ଷୟ ବେହେରା, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସାହୁ ଆସି ଘଟଣାସ୍ଥଳ ପରିଦର୍ଶନ କରି ଡ୍ରେନେଜ ବିଭାଗ ଉପରେ ଦୋଷ ଲଦିଛନ୍ତି।

Share