Categories: ବାଣିଜ୍ୟ

ତେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁନି

ଭୁବନେଶ୍ୱର: ଗୋଟିଏ ଦିନ ବ୍ୟବଧାନ ପରେ ଗୁରୁବାର ପୁଣିଥରେ ତେଲ ଦର ବୃଦ୍ଧି ପାଇଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ୧୩ ଏବଂ ଡିଜେଲ ୨୩ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୮୨.୩୧ ଟଙ୍କା ଏବଂ ଡିଜେଲ ୭୭.୯୯ ଟଙ୍କା ଛୁଇଁଥିବା ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ଦେଶର ମେଟ୍ରୋ ସହରଗୁଡ଼ିକରେ ଗୁରୁବାର ପେଟ୍ରୋଲ ୧୦ରୁ ୧୧ ପଇସା ଊର୍ଦ୍ଧ୍ୱରେ ରହିଛି। ସେହିଭଳି ଏହି ସ୍ଥାନଗୁଡିକରେ ଡିଜେଲ ଲିଟର ପିଛା ଲୋକଙ୍କୁ ୨୦ରୁ ୨୧ ଅଧିକ ଦେବାକୁ ପଡୁଛି। ନୂଆଦିଲ୍ଲୀରେ ପେଟ୍ରୋଲ ୮୧.୭୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୮.୪୦ ଟଙ୍କା, ଚେନ୍ନାଇରେ ୮୪.୭୪ ଟଙ୍କା ଏବଂ କୋଲକାତାରେ ୮୩.୨୬ ଟଙ୍କା ରହିଛି। ସେହିଭଳି ଏହି ସହରଗୁଡିକରେ ଡିଜେଲ ଦର ଯଥାକ୍ରମେ ୭୧.୬୨ ଟଙ୍କା, ୭୮.୧୨ ଟଙ୍କା, ୭୭.୦୮ ଟଙ୍କା ଏବଂ ୭୫.୧୯ ଟଙ୍କାକୁ ବଢିଛି। କରୋନାର ଦ୍ୱିତୀୟ ଲହର ପୁଣି ଥରେ ଫେରୁଥିବା ବେଳେ ଲଗାତର ତେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ଗତ ୨ ମାସ ହେବ ତେଲ ଦରରେ କୌଣସି ପରିବର୍ତ୍ତନ ହେଉ ନ ଥିଲା। ହେଲେ ଗତ ସପ୍ତାହ ଶୁକ୍ରବାରଠାରୁ ତେଲ ଦର ବଢୁଛି। ଅର୍ଥାତ୍‌ ଗତ ୭ ଦିନ ମଧ୍ୟରୁ ୬ ଦିନ ତେଲ ଦର ବଢିଛି। ଚଳିତ ସପ୍ତାହ ବୁଧବାର କେବଳ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା।

Share