ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୯୮ ମିଟରରେ ପ୍ରବାହିତ ହେଉଥିଲା। ଦିନ ୯ଟା ସୁଦ୍ଧା ୬.୨୨ ମିଟରରେ ଜଳସ୍ତର ପ୍ରବାହିତ ହେଉଛି । ନଦୀର ଏବେ ବିପଦ ସଙ୍କେତ ରହିଛି ୬.୫୦ ମିଟର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ କୁଳିଆ ବାସିନ୍ଦା ।

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି l ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର । ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରା ଯାଉଛି । ଯଦି ବନ୍ୟା ହୁଏ ତେବେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଶନିବାର ରାସଗୋବିନ୍ଦପୁର ଅଞ୍ଚଳରେ ୮୨ ମିଲିମିଟର,ମୋରଡାରେ ୩୦.୨ ମିଲିମିଟର ଏବଂ ଶୁଳିଆପଦା ଅଞ୍ଚଳରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାଇଛି । ତେବେ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରକୁ ପାଣିପାଗ ବିଭାଗ ରବିବାର ରେଡ ଆଲର୍ଟ ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।