ବଢୁଛି ଜଳକା, ବନ୍ୟା ଆଶଙ୍କା

ରୂପସା, ୨୦।୧୦(ଡି.ଏନ.ଏ.): ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ରବିବାର ରାତିରୁ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଏହି ନଦୀର ମଥାନୀଠାରେ ବିପଦସଂକେତ ୫.୫ମିଟର ଥିବାବେଳେ ସୋମବାର ସକାଳ ୯ଟା ସୁଧା ୬.୦୪ମିଟର ପ୍ରବାହିତ ହେଉଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ଜଳସ୍ତର ବୃଦ୍ଧି ଘଟି ୬.୦୯ ମିଟରରେ ପହଞ୍ଚିଥିଲା। ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ୬.୩୮ ମିଟରରେ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ଅଶୋକ କୁମାର ଦାସ କହିଛନ୍ତି। ବର୍ଷା ଲାଗି ରହିଥିବା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ବନ୍ୟା ଆଶଙ୍କା ଦେଖାଦେଇଛି। ପୁଣି ବନ୍ୟା ପରିସ୍ଥିତି ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଥିବା ଦେଖାଦେଇଛି।
ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ବୃଦ୍ଧିପାଇଛି। ଜଳସ୍ତର ୬.୬୫ ମିଟର ଅତିକ୍ରମ କଲେ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଧାନ ଗର୍ଭଧାରଣ ସମୟ ହୋଇଥିବାରୁ ବନ୍ୟା ହେଲେ ଧାନ ଥୋଡ଼ରେ ପାଣି ପଶିବାର ଆଶଙ୍କା ରହିଛି। ଗତ ବନ୍ୟାରେ ଉଭୟ ବସ୍ତା ଓ ସଦର ବ୍ଲକରେ ଧାନ ନଷ୍ଟ ହୋଇଥିଲା। ପୁଣି ଯଦି ବନ୍ୟା ହୁଏ ତା’ହେଲେ ଧାନ ଥୋଡ଼ରେ ପାଣି ପଶି ସମସ୍ତ ଧାନ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଚାଷୀ ଋଣ କରି ଚାଷ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଅମଳ ଆଶା ମଉଳି ଯାଉଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି।