ଯାଜପୁର ଟାଉନ,୧ା୫(ଡି.ଏନ.ଏ.): ଯାଜପୁର ତହସିଲ ଅନ୍ତର୍ଗତ ମାଳଆନନ୍ଦପୁର ପଞ୍ଚାୟତ ବେଲେଶ୍ୱର ଗ୍ରାମସ୍ଥ ବୈତରଣୀ ନଦୀର ବେଲେଶ୍ୱର ପୋଲ ନିକଟରୁ ବେଆଇନ ଭାବେ ମାଟି ଖୋଳାଯାଇ ଚାଲାଣ କରାଯାଉଛି। ଜେସିବି ଲଗାଇ ନଦୀପଠାର ମାଟିକୁ ତଡ଼ାଯାଉଛି। ପରେ ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ବିକ୍ରି କରାଯାଉଛି। ଯାଜପୁର ତହସିଲ ଅଧୀନରୁ ପ୍ରତ୍ୟେକ ଦିନ ଏହିପରି ଭାବେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ଲୁଟ୍ ହେଉଥିବାବେଳେ ତହସିଲଦାର ସବୁ ଜାଣି ନୀରବ ରହିଥିବା ଅଭିଯୋଗ ହୋଇଛି। ବେଆଇନ ମାଟି ଉଠାଣ ନେଇ ସ୍ଥାନୀୟ ଅଞ୍ଚଳବାସୀ ଉପଜିଲାପାଳ ଓ ତହସିଲଦାରଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ତହସିଲଦାରଙ୍କୁ ଉତ୍କୋଚ ଦେଇ ମାଫିଆ ମନଇଚ୍ଛା ମାଟି ଓ ବାଲି ଚୋରା କାରବାର କରୁଥିବା କେତେଜଣ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। ଅଭିଯୋଗ ହେଲେ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଏ ଦିଗରେ ଜିଲାପାଳ ଦୃଷ୍ଟିଦେବାକୁ ଦାବି ହୋଇଛି।