ଦେବୀନଦୀ ପଠା ଅତଡ଼ା ଧସୁଛି : ଗ୍ରାମବାସୀ ଭୟଭୀତ

ନାଉଗାଁ,୧୦ା୬( ସୁଧା ବେହୁରା): ନାଉଗାଁ  ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତ ଦେଇ ଦେବୀନଦୀ ପ୍ରବାହିତ ହେଉଛି। ଏହି ନଦୀରେ ହୋଇଥିବା ବନ୍ଧ ଜଗତ୍‌ସିଂହପୁର ଜଳସମ୍ପଦ ବିଭାଗ ଅଲଣାହାଟ ଜଳସମ୍ପଦ ସେକ୍ସନ ଅଧୀନରେ ରହିଛି। ଉକ୍ତ ନଦୀର ଉଦ୍‌ବୃତ୍ତ ବନ୍ୟାଜଳ ଗ୍ରାମ ମଧ୍ୟକୁ ପ୍ରବେଶ ନ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନଦୀପଠା ନିକଟରେ ଆଉଏକ ଘେରି ବନ୍ଧ ନିର୍ମାଣ କରାଯାଇଛି। କିନ୍ତୁ ଓଷକଣା ଗ୍ରାମ ନିକଟରେ ନିର୍ମିତ ଘେରିବନ୍ଧ ନିକଟସ୍ଥପଠାରୁ ଅତଡ଼ା ଧସିବା ଆରମ୍ଭ ହୋଇଛି। ଏହାଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି।
କହିବା ଅନୁଯାୟୀ, ନଦୀରେ ସାମାନ୍ୟ ଜୁଆର ଆସିଲେ ପାଣି ପଠାରେ ମାଡ଼ ହୋଇ ଅତଡା ଧସୁଛି। ଆଗକୁ ବର୍ଷାଦିନ ଆସୁଥିବା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏପରିକି ଏହି ନଦୀ ଦେଇ ବନ୍ୟାପାଣି ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ତେବେ ବନ୍ୟାଜଳ ଆସିଲେ ବନ୍ୟାସ୍ରୋତ ପଠାରେ ମାଡ଼ ହେବ। ଫଳରେ ଅତଡ଼ା ଅଧିକ ଧସିଯିବାର ସମ୍ଭାବନା ରହିଛି। ଏପରି ହେଲେ ନଦୀବନ୍ଧ ଦୁର୍ବଳ ହେବାର ଆଶଙ୍କା ରହିଛି। ଏନେଇ ବର୍ଷା ପୂର୍ବରୁ ଉକ୍ତ ବନ୍ଧର ସ୍ଥାୟୀ ପ୍ରତିକାର କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
ବିଭାଗ ପକ୍ଷରୁ ଦେବୀନଦୀର ଅତଡ଼ା ଧସୁଥିବା ସ୍ଥାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପଥର ପ୍ୟାକିଂ କରାଯାଉଥିବା ବେଳେ ଉକ୍ତ ସ୍ଥାନଟି ବିଭାଗର ଦୃଷ୍ଟି ଆଢୁଆଳରେ ରହିଥିବା ଗ୍ରାମବାସୀ କହିିଛନ୍ତି। ତୁରନ୍ତ ଉକ୍ତ ସ୍ଥାନରେ ସ୍ଥାୟୀ ପ୍ରତିକାର କରିବା ପାଇଁ ଗ୍ରାମର ରବୀନ୍ଦ୍ର ଭୋଇ, ପଦି ଭୋଇ, ନିମାଇଁ କାଣ୍ଡି, ଭୈରବ ଦାସ, କୃଷ୍ଣଚନ୍ଦ୍ର ସ୍ବାଇଁ, ସୂର୍ଯ୍ୟକାନ୍ତ ଭୋଇ, ଟୁକୁନା ଭଞ୍ଜ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର ଅଲଣାହାଟ ସେକ୍ସନର ଯନ୍ତ୍ରୀ ଦେବୀ ମିଶ୍ରଙ୍କୁ ମୋବାଇଲ୍‌ ଫୋନ ଜରିଆରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।