କେଲୁଅ ନଦୀବନ୍ଧ ରାସ୍ତା ଶୋଚନୀୟ

କାଏମା,୨୫ା୯(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅଧୀନ ଉତ୍ତରପ୍ରତାପ ପଞ୍ଚାୟତର ଅଲଣି ସାହୁ ଗାଁ ନିକଟରୁ ଚାନ୍ଦମୋହିନୀ ଗ୍ରାମ ପର୍ଯ୍ୟନ୍ତ କେଲୁଅ ନଦୀବନ୍ଧ ରାସ୍ତା ଶୋଚନୀୟ ହେବାକୁ ଲାଗିଲାଣି। ଏବେ ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ରାସ୍ତାର ଅନେକ ସ୍ଥାନରୁ ପିଚୁ ଉଠିଯାଇଥିବାରୁ ଯାତାୟାତ ପ୍ରଭାବିତ ହେଉଛି। ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଲେଖାଏ ପାଣି ଜମି ରହୁଛି। ସେହିପରି ରାସ୍ତାକୁ ଗଛଲତା ଓ ଘାସ ମାଡ଼ିଗଲାଣି। ବହୁ ବର୍ଷ ପୂର୍ବେ ଏହି ନଦୀବନ୍ଧ ରାସ୍ତା ସୁଦୃଢ଼ୀକରଣ କରାଯାଇଥିଲା। ହେଲେ କାମ ସରିବାର କିଛିମାସ ପରେ ରାସ୍ତାରେ ଯାତାୟାତରେ ଅସୁବିଧା ଦେଖିବାକୁ ମିଳିଥିଲା। ଏହି ରାସ୍ତା ଦେଇ ପ୍ରତିଦିନ ଚଇନୁହୁଡ଼ା, ମାଝି ପାଟଣା, ଅଲଣି ସାହୁ, ସ୍ବାଇଁ ସାହି, ରାକ୍ଷୀ ପାଟଣା, ଉତ୍ତରପ୍ରତାପ ଓ ନରସିଂହପୁର ଆଦି ଗ୍ରାମବାସୀ ଯାତାୟାତା କରନ୍ତି। ଗଛଲତା ମାଡ଼ି ଯାଇଥିବାରୁ ରାସ୍ତା ସଙ୍କୁଚିତ ହୋଇଯାଇଛି। ଏଥିରେ ପୁଣି ସାପ ଭୟ। ରାତି ସମୟରେ ରାସ୍ତାରେ ଯାତାୟାତ କରିବାକୁ ଲୋକେ ଭୟ କରୁଛନ୍ତି। ଅଣଓସାରିଆ ରାସ୍ତାରେ ଯିବାଦ୍ୱାରା ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାଦେଇ ଛୋଟଛୋଟ ପିଲା ସ୍କୁଲକୁ ଅପରିଷ୍କାର ପାଣିରେ ପଶି ଯାଉଛନ୍ତି। ଫଳରେ ସେମାନେ ବିଭିନ୍ନ ପ୍ରକାର ଚର୍ମରୋଗ ଓ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ଏହି ପଞ୍ଚାୟତଟି ୧୫ ନମ୍ବର ଜୋନ ଅଧୀନରେ ଯାଉଛି। କିଛି ଦିନ ତଳେ ଏଠାରେ ଜିଲା ପରିଷଦ ଉପନିର୍ବାଚନ ହୋଇଥିଲା। ସେ ସମୟରେ ରାସ୍ତାର କିଛି ସ୍ଥାନରେ ଡଷ୍ଟ ଗୁଣ୍ଡ ପକାଯାଇଥିଲା। ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ। ରାସ୍ତା ମରାମତି ପାଇଁ ବ୍ଲକ୍‌ ପ୍ରଶାସନ କିମ୍ବା ରାଜନେତା ଇଚ୍ଛା ପ୍ରକାଶ କରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଜିଲାପାଳ ଏ ଦିଗରେ ଦୃଷ୍ଟିଦେବାକୁ ଦାବି ହୋଇଛି।

Share