କାମ ହେବାର ୨ ମାସ ନ ପୂରୁଣୁ ରାସ୍ତା ଫାଟି ୨ ଫାଳ

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପୂର୍ତ୍ତବିଭାଗର ପାଟଣା ମୁଖ୍ୟ ବଜାର ଦେଇ ନିର୍ମିତ କଂକ୍ରିଟ ରାସ୍ତା ନିର୍ମାଣର ୨ମାସ ନ ପୂରୁଣୁ ପାଟଣା ମେଡିକାଲ ବାଙ୍କ ନିକଟରେ ୫୦ଫୁଟରୁ ଊଦ୍ଧର୍‌ବ କଂକ୍ରିଟ ରାସ୍ତା ଓ ଦୁର୍ଗାଦେଇପୁର ବାଙ୍କ ନିକଟରେ ଫାଟି ୨ଫାଳ ହୋଇଯାଇଛି। ଏନେଇ ପାଟଣା ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହାରର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଲୋକେ। ପାଟଣା ଡିଭିଜନାଲ ଯନ୍ତ୍ରୀ ମହେଶ୍ୱର ପାଶାଙ୍କୁ ପଚାରିବାରୁ ଯଦି କଂକ୍ରିଟ ଫାଟିଥିବ ତେବେ କଟିଙ୍ଗ କରି ସଂପୃକ୍ତ ଠିକା ସଂସ୍ଥାକୁ ପୁନଃନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯିବ।

ସୂଚନା ଯେ, ଉକ୍ତ ବ୍ୟସ୍ତ ବହୁଳ ପାଟଣା ମୁଖ୍ୟ ବଜାରର ଦେଇ ପ୍ରତ୍ୟହ ଶହଶହ ଗାଡ଼ିମୋଟର, ଆମ୍ବୁଲାନ୍ସ, ସହ ସ୍କୁଲ କଲେଜ ଛାତ୍ରୀଛାତ୍ର ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି। ଉକ୍ତ ରାସ୍ତା କକ୍ରିଟ୍‌, ଡ୍ରେନ୍‌, ପେବର ପାଇଁ ୪କୋଟିରୁ ଉଦ୍ଧର୍‌ବ ଟଙ୍କା ବ୍ୟୟ ବରାଦ ହୋଇଥିଲା। ୩କୋଟି ବ୍ୟୟରେ କଂକ୍ରିଟ ରାସ୍ତା ନିର୍ମାଣ ସରିଥିବା ବେଳେ ବାକି ଥିବା ଆଉ ୧କୋଟି ଟଙ୍କା ବ୍ୟୟରେ ଉଭୟ ପାଶର୍‌ବରେ ଡ୍ରେନ ନିର୍ମାଣ ଓ ପେବର୍‌ ନିର୍ମାଣ ବାକି ରହିଛି। ରାଜସ୍ବ ବିଭାଗ ସରକାରୀ ରାସ୍ତା ଉପରୁ ଜବର ଦଖଲଉଚ୍ଛେଦ କରୁ ନ ଥିବାରୁ ଡ୍ରେନ୍‌ ଓ ପେବର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ।

Share
Tags: road crack