ନୟାଗଡ଼ ବଜାରରୁ କଲେଜ ରାସ୍ତା ମରଣଯନ୍ତା

ନୟାଗଡ ଅଫିସ,୨୭।୧୦: ନୟାଗଡ ନାଉଖାଲ ୨୧ ନଂ ରାଜ୍ୟ ରାଜପଥର ନୟାଗଡ ଟ୍ରାଫିକ ଛକ ଠାରୁ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପୂର୍ତ୍ତ ବିଭାଗର ଏହି ୨ କିମି ରାସ୍ତା ଦଶହରା ସମୟରେ ବି ମରାମତି କରାଯାଇ ନ ଥିଲା। ଏହି ରାସ୍ତାରେ ଛୋଟ ବଡ ଖାଲ ସଂଖ୍ୟା ବଢ଼ୁଥିବାବେଳେ ଦୁର୍ଘଟଣା ବଢ଼ି ଚାଲିଛି। ୩୪ ଦିନ ମଧ୍ୟରେ ୪୭ଟି ଦୁର୍ଘଟଣା ଘଟି ସାରିଲାଣି। ଏ ନେଇ ସାଧାରଣରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇ ଆସୁଛି। ତେବେ ଗତ ୮ ତାରିଖରେ ଧରିତ୍ରୀରେ ଖବର ପ୍ରକାଶନ ପରେ ରାସ୍ତାକୁ ତରବରିଆ ମରାମତି କରାଯାଇଥିଲା। ଯାହାକି କାମଚଳା ମରାମତି। ଏହା ପରେ ଆଉ ପିଚୁ କରାଗଲାନି। ତେବେ କାମଚଳା ମରାମତିର ମେଟାଲ ଓ ଟେକା ଯାନବାହାନ ଚକରେ ଛିଟିକି ଲୋକ ଓ ଦୋକାନରେ ପଡୁଛି। ୭ ଦିନ ମଧ୍ୟରେ ଟେକା ବାଜି ୧୧ଜଣ ଆହତ ହୋଇଥିବା ଜଣାପଡିଛି। ଅପରପକ୍ଷେ ଟ୍ରାଫିକ ଛକ ନିକଟରେ ରାସ୍ତା ୧ରୁ ୨ ଫୁଟ ଖାଲ ହେବା ପରେ କିଛି ଲେମ୍ବୁ ବ୍ୟବସାୟୀ ନିଜର ବ୍ୟବସାୟ ପାଇଁ ରାସ୍ତାକୁ ଇଟାରେ ପୋତିଛନ୍ତି। ଏହାଦ୍ୱାରା ଖାଲଖମାରେ ପଡୁଥିବା ଲୋକ ରକ୍ଷା ପାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ରାଜପଥର ମରାମତି ପାଇଁ କାହିଁକି ପୂର୍ତ୍ତ ବିଭାଗ ଅଣଦେଖା କରି ଆସୁଛି। ରାସ୍ତା ମରାମତି ନ ହେଲେ ଯୁବଗୋଷ୍ଠୀ ପକ୍ଷରୁ ଧାରଣା ଦିଆଯିବ ବୋଲି ସଞ୍ଜୟ ସାହୁ ନାମକ ଜଣେ ଯୁବକ ଚେତାବନୀ ଦେଇଛନ୍ତି।

Share