ଉମରକୋଟ, ୮।୨(ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଚାଲିଛି କାମ। କିନ୍ତୁ କାମ ସରିବା ପୂର୍ବରୁ ହିଁ ରାସ୍ତା ଫାଟିଗଲାଣି। ଏହା ହେଉଛି ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ଡଙ୍ଗରିଗୁଡ଼ା ମୁଖ୍ୟ ରାସ୍ତାର ଦୃଶ୍ୟ।
ପୂର୍ତ୍ତ ବିଭାଗ ପକ୍ଷରୁ ଧୋଡ୍ରାରୁ ଉମରକୋଟ ୧୦ କି.ମି. ରାସ୍ତା ପାଇଁ ୪ କୋଟି ୪୭ ଲକ୍ଷ ଟଙ୍କାରେ ଟେଣ୍ଡର ଆହ୍ବାନ କରିଥିଲା। ମୂଳ ରେଟ୍ଠାରୁ ୩ ପ୍ରତିଶତ ଅଧିକ ରେଟ୍ରେ ଡାବୁଗାଁର ଜଣେ ଠିକାଦାର ଏହି କାମ ପାଇଛନ୍ତି। କାମ ଗତ ୧୦ ଦିନ ତଳେ ଆରମ୍ଭ କରିଥିଲେ। ପ୍ରଥମେ ଉମରକୋଟ ସହର ପଟୁ କାମ ଆରମ୍ଭ କରାଯାଇଥିଲା। ସହର ମଧ୍ୟରୁ ମାତ୍ର ୪ କି.ମି. କାମ କରାଯାଇଥିବାବେଳେ ଆହୁରି ଅନେକ କାମ ବାକି ରହିଛି। କିନ୍ତୁ ବର୍ତ୍ତମାନ ହିଁ ରାସ୍ତା ଫାଟିଗଲାଣି। ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ। ପିଚୁ ମିଶା ପଥର ପକେଇବା ପୂର୍ବରୁ ଧୂଳି ସଫା କରାଯାଇ ନାହିଁ ଓ ଇମୁଲେଶନ ଭଲ ଭାବେ ପକା ନ ଯିବାରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ଅନେକ ଦିନ ପରେ ରାସ୍ତା କାମ ପାଇଁ ଟଙ୍କା ଆସିଛି, ରାସ୍ତା କାମ ଭଲରେ ହେବ ବୋଲି ସମସ୍ତଙ୍କ ଆଶା ରହିଛି। ଏଭଳି କାମକୁ ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଘଟଣାକୁ ନେଇ କନିଷ୍ଠ ଯନ୍ତ୍ରୀ ମନୋଜ ସାହୁଙ୍କୁ ପଚାରିବାରୁ, ଯେଉଁ ସ୍ଥାନରେ ରାସ୍ତା ଫାଟିଛି ସେଠାରେ ରୋଡ୍ ବ୍ରେକର କରାଯାଇଛି। ଗାଡ଼ିଗୁଡିକ ବ୍ରେକ୍ ମାରିବା ଫଳରେ ଏଭଳି ହେଉଛି ବୋଲି ସେ କହିଛନ୍ତି। ରାସ୍ତା ମରାମତି କରାଯିବ ବୋଲି ସେ କହିଛନ୍ତି। ଏ ନେଇ ଠିକାଦାରଙ୍କୁ ପଚାରିବାରୁ ସେ ମଧ୍ୟ ସମାନ ଉତ୍ତର ଦେଇଛନ୍ତି।