କାଦୁଅରେ ରାସ୍ତା ପରିପୂର୍ଣ୍ଣ: ଯାତାୟାତ ବାଧାପ୍ରାପ୍ତ

ନାଉଗାଁ,୨୬ା୬ (ସୁଧା ବେହୁରା): ନାଉଗାଁ  ବ୍ଲକ ନରଣପୁର-ଚକୁଳିପଡ଼ା, ଦେଓପଡ଼ା-ତିରୁଣା, ନାଉଗାଁ -ଡାବରକୁ ସଂଯୋଗୀକରଣ ରାସ୍ତା ରହିଛି। ଏହି ରାସ୍ତାଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ରାସ୍ତା ତଦାରଖ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତ୍‌ସିଂହପୁର ଅଧୀନରେ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର ପୁନଃ ନିର୍ମାଣ ଓ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟ ଯୋଗୁ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତାର ଉଭୟ ପାର୍ଶ୍ୱ ଖୋଳାଯିବା ସହ ୨ ପାର୍ଶ୍ୱରେ ମାଟି ପଡ଼ିଛି। ଅସରାଏ ବର୍ଷାରେ ମାଟି କାଦୁଅ ହୋଇ ବୋହିଆସି ରାସ୍ତାରେ ଜମା ହେଉଛି। ଫଳରେ ଯାନବାହନ ତ ଦୂରର କଥା ପାଦରେ ଚାଲି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି। ଉକ୍ତ ରାସ୍ତା ଉପରେ ଡାବର, ତିରୁଣା, ନାଉଗାଁ  ଆଦି ପଞ୍ଚାୟତର ଲୋକେ ନିର୍ଭରଶୀଳ। ସେମାନେ ବିଭିନ୍ନ କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ନାଉଗାଁ  ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ନାଉଗାଁ  ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ସେହିପରି ଛାତ୍ରୀଛାତ୍ର ଏହି ବାଟ ଦେଇ ସାଇକେଲ ଓ ଗାଡ଼ି ମାଧ୍ୟମରେ ସ୍ଥାନୀୟ ଜଗନ୍ନାଥ ମହାବିଦ୍ୟାଳୟ, ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟକୁ ଯାଇଥାନ୍ତି। ବର୍ଷାରେ ରାସ୍ତା କାଦୁଅ ହେଉଥିବାରୁ ପିଲାମାନେ ଘରୁ ବାହାରି ପାରୁନାହାନ୍ତି। ଏପରିକି ଯଦି କାହାର ଦେହ ଖରାପ ହୁଏ ତେବେ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସ ଏହି ରାସ୍ତାରେ ଗାଁ  ମଧ୍ୟକୁ ଯାଇପାରିବ ନାହିଁ। ଆଗକୁ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ତା’ ପୂର୍ବରୁ ରାସ୍ତାରେ ଡଷ୍ଟ ବିଛା ନ ଗଲେ ଉକ୍ତ ପଞ୍ଚାୟତର ଲୋକେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଉକ୍ତ ପଞ୍ଚାୟତର ଅଶୋକ ସ୍ବାଇଁ, ନିଗମାନନ୍ଦ ପରିଡ଼ା, ସଞ୍ଜୟ ସ୍ବାଇଁ, ନିକୁଞ୍ଜ ପରିଡ଼ା ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ରାସ୍ତା ଉପରେ ଡଷ୍ଟ ବିଛାଇବା ଲାଗି କୁହାଯାଇଛି। ଯଥାଶୀଘ୍ର ଉକ୍ତ ରାସ୍ତା ଉପରେ ଡଷ୍ଟ ବିଛାଯିବ ବୋଲି ସେ କହିଥିଲେ।

Share