ଗ୍ୟାସ୍‌ ପାଇପ୍‌ ବିଛା କାମରେ ବ୍ୟାସନଗର ସହର ଖିନ୍‌ଭିନ୍‌

ଯାଜପୁର ରୋଡ,୧୮ା୮(ଡି.ଏନ.ଏ.): ବ୍ୟାସନଗରରେ ସହରରେ ଭାରତ ଗ୍ୟାସ ପକ୍ଷରୁ ପାଇପ ପିଛା କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ପ୍ରଶାସନିକ ଚେତାବନୀ ଦିଆଯାଇଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଗ୍ୟାସ ପାଇପ ଲାଇନ ବିଛା କାର୍ଯ୍ୟରେ ବ୍ୟାସନଗର ସହରର ରାସ୍ତା ଖିନଭିନ ହୋଇଯାଇଛି। ଏଥିଯୋଗୁ ଗମନାଗମନ ବାଧାପ୍ରାପ୍ତ ହେବା ସହ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ଗତ ପ୍ରାୟ ୧ ବର୍ଷ ହେଲା ରାସ୍ତା କଡରେ ମେଶିନ ଯୋଗେ ଗାତ ଖୋଳା ଚାଲିଛି। ଆବଶ୍ୟକ ପରିମାଣରେ ଭିତରକୁ ଗାତ ହେଉ ନ ଥିବାରୁ ରାସ୍ତାର ଉପର ଅଂଶ ଧସି ପଡୁଛି। ଏପରିକି ଏଥିଯୋଗୁ ହାଇମାସ୍କ ଲାଇଟ ପୋଲ ବିପଦାପନ୍ନ ହୋଇଥିବା ଦେଖିବାକୁ ମିିଳିଛି। ପୌରପରିଷଦ ପକ୍ଷରୁ ବିଭିନ୍ନ ଛକରେ ନିର୍ମିତ ହେଉଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାନ ମଧ୍ୟ ସୁରକ୍ଷିତ ରହିନାହିଁ। ଏନେଇ ଯାଜପୁର ରୋଡ ସିଭିଲ ସୋସାଇଟିର ଆବାହକ ଆଇନଜୀବୀ ବିବେକାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୂର୍ବରୁ ଯାଜପୁରରୋଡ ଥାନାରେ ଏତଲା ଦେଇଥିଲେ ହେଁ କିଛି ସୁଫଳ ମିଳି ପାରି ନ ଥିଲା। ଏହି ମନମାନି କାର୍ଯ୍ୟ ବନ୍ଦ ହେବା ପରିବର୍ତ୍ତେ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ଏନେଇ ସୋସାଇଟି ପକ୍ଷରୁ ପୁଣି ଅଭିଯୋଗ ହେବା ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ପୁଣି ଏକ ତ୍ରିପାକ୍ଷିକ ବୈଠକ ହୋଇଥିଲା। କଳିଙ୍ଗନଗର ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଭାରତ ଗ୍ୟାସ ଓ ତାଙ୍କର ଠିକା ସଂସ୍ଥା ଓସାଲ ଆରିଓଇନଫା ଏବଂ ଆର ଏଣ୍ଡ ବି କର୍ତ୍ତୃପକ୍ଷ ଓ ସିଭିଲ ସୋସାଇଟିର ଉପଦେଷ୍ଟା ବିଦ୍ୟାଧର ମହାନ୍ତି, ଚନ୍ଦ୍ରମଣି ସାମଲ, ସନ୍ତୋଷ ମହାନ୍ତି, ଶିଶିର କୁମାର ରାଉତ ଓ ପବିତ୍ର ରଞ୍ଜନ ମହାନ୍ତି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ବିଚିତ୍ର କୁମାର ପୁହାଣ, ତାପସ କୁମାର ପୃଷ୍ଟି, ଭାରତ ଗ୍ୟାସର ମ୍ୟାନେଜର ମୁଡ଼ି ଲକାନ୍ସଲ, ମେକାନଇଣ୍ଡିଆର ଡିଜିଏମ ଆଈ. କେଶବ, ଠିକା ସଂସ୍ଥାର ସଞ୍ଜୀବ ସୁବୁଦ୍ଧି, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଏହି ଆଲୋଚନାରେ ସଂପୃକ୍ତ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ଚେତାବନୀ ଦେଇଥିଲେ । ଏହାସହିତ ଅଧା ପନ୍ତରିଆ କାମକୁ ସମ୍ପୂର୍ଣ କରିବା ଓ କ୍ଷତି ହୋଇଥିବା ସରକାରୀ ଅର୍ଥ ପୈଠ ନ କରିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବ୍ୟାସନଗର ସହର ମଧ୍ୟରେ ହେବାକୁ ଥିବା ୭୫ କିଲୋମିଟର ଗ୍ୟାସ ବିଛା କାର୍ଯ୍ୟ ପର୍ଯ୍ୟାୟକ୍ରମେ ହେବ । ଯଦି ଠିକା ସଂସ୍ଥା ଏଥିରେ ବ୍ୟତିକ୍ରମ କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ମିଶ୍ର ଘୋଷଣା କରିଥିଲେ। ତେବେ ପ୍ରଶାସନର ଏହି ଚେତାବନୀରେ ଲୋକ ଦେଖାଣିଆ ନା ବାସ୍ତବତା ରହିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ସହରବାସୀ ମତପ୍ରକାଶ କରିଛନ୍ତି।

Share