ଅଧା ରହିଗଲା ରାସ୍ତା ମରାମତି କାର୍ଯ୍ୟ

ରଗଡି,୨ା୯(ଯତିଶ କୁମାର ମଲ୍ଲିକ): ଗ୍ରାମ୍ୟ ନିର୍ମାଣ ବିଭାଗରେ ଅନିୟମିତତା ଓ ଅବହେଳା ପିଛା ଛାଡୁନାହିଁ। ରହସ୍ୟମୟ ଭାବେ ରାସ୍ତା ମରାମତି କାର୍ଯ୍ୟ ଅଧାରେ ରହି ଯାଉଛି। ୨୦ ନମ୍ବର ଜାତୀୟ ରାଜପଥର ରଗଡ଼ଠାରୁ କିଆପଦା ରାସ୍ତାର ସାମୟିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନ ସରୁଣୁ ଠିକାଦାର ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଥିରୁ ମରାମତି ପାଇଁ ଆବଣ୍ଟିତ ଅର୍ଥ ମିଳିମିଶି ଚଳୁ କରି ନିଆଯାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ସୂଚନା ଅନୁଯାୟୀ ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ୫.୫ କିଲୋମିଟର ପିଚୁ ରାସ୍ତା ମରାମତି ପାଇଁ ୬୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି କାର୍ଯ୍ୟ ୧୨ା୧୧ା୨୦୨୦ରେ ଆରମ୍ଭ ହୋଇ ୧୧ା୫ା୨୦୨୧ରେ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। ଠିକାଦାର ରବିନାରାୟଣ ସେଠୀଙ୍କୁ ଏହି ମରାମତି କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିଲା। ହେଲେ ଠିକାଦାର ୩.୫ କି.ମି. ପର୍ଯ୍ୟନ୍ତ ଅତି ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଚଳୁ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଏହାପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟର ମାନ ପରଖିଥିଲେ। ମରାମତି ହୋଇଥିବା ୩.୫ କି.ମି. ରାସ୍ତା ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ତଦନ୍ତରେ ଜଣାପଡ଼ିବା ପରେ କନିଷ୍ଠ ଯନ୍ତ୍ରୀ ବେହେରା ପୁନର୍ବାର କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରି ଠିକାଦାର ଜଣକ ଏଯାଏ ଆଉ ଫେରି ନାହାନ୍ତି। ଫଳରେ ରାସ୍ତାର ମରାମତି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ବିଭିନ୍ନ ମହଲରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଅଧିକାରୀ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏହି କାରଣରୁ ରାସ୍ତା ଉପରେ ନିର୍ଭରଶୀଳ ପ୍ରାୟ ୧୦ ଗ୍ରାମର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୋରାବନ୍ଦୀଠାରୁ ରଗଡ଼ିକୁ ବାକି ଥିବା ୧.୫ କିଲୋମିଟର ରାସ୍ତା ଏବେ ଖାଲଖମାରେ ପୂରିଯାଇ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଥିପାଇଁ ଲୋକମାନେ ଦୁର୍ଘଟଣାରେ ଶିକାର ହେଉଛନ୍ତି। କୋରାବନ୍ଦୀ ଗ୍ରାମର କେତେଜଣ ଯୁବକ ମୋରମ ମାଟି ପକାଇ ସମତୁଲ କରିଛନ୍ତି। ହେଲେ ତାହା ପର୍ଯ୍ୟାପ୍ତ ହୋଇ ନ ଥିବାରୁ ରାସ୍ତାରେ ସୁରକ୍ଷିତ ଯାତାୟାତ ସମ୍ଭବ ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଇଛି।