କାମ ନ ସରି ରାସ୍ତା ଫାଟିଲା

ନିଶ୍ଚିନ୍ତକୋଇଲି,୨୬। ୬(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଖନ୍ଦଳ ଠାରୁ ଝାଡ଼େଶ୍ୱପୁର ଭାୟା ଉମର ରାସ୍ତା କାମ ଚାଲିଛି।
ଏହି କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିଶ୍ଚିନ୍ତକୋଇଲି ସବ୍‌ଡିଭିଜନ ଅଧୀନରେ ଏହି ରାସ୍ତାର ଉନ୍ନତିକରଣ ଓ ଦୋହରିକରଣ ପାଇଁ ଟେଣ୍ଡର କରାଯାଇ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। କିନ୍ତୁ ସମ୍ପୃକ୍ତ ଠିକାଦାର ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ରାସ୍ତା କାମ ନିମ୍ନ ମାନର କରିଥିବାରୁ କାମ ନ ସରୁଣୁ ରାସ୍ତା ଫାଟିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମନମୁଖୀ ଭାବେ କାର୍ଯ୍ୟ ଯୋଗୁ ରାସ୍ତାର ଏପରି ଅବସ୍ଥା ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ପଡ଼ିଥିବା ମାଟି କୋନାଲ ଓ ଗୋଚରରୁ ଖୋଳି ଏଠାରେ ପକାଇଯାଇଛି। ଏଥିସହ ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁ କାମ ନ ସରୁଣୁ ରାସ୍ତା ଫାଟି ଦୁଇଫାଳ ହୋଇଯାଇଛି।
ବିଭାଗୀୟ ସୂଚନା ଅନୁଯାୟୀ, ଏହି ରାସ୍ତା କାମ ପାଇଁ ବିଭାଗୀୟ ଟେଣ୍ଡର କରାଯାଇ ଠିକାରେ ଦିଆଯାଇଥିଲା। ୯।୯।୨୦୨୨ରୁ ଆରମ୍ଭ ହୋଇଥିବା ଏହି କାମ ୮।୮।୨୦୨୩ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ସୂଚନା ରହିଛି। ୯.୪୦୦ କି. ମି. ଲମ୍ବ ଏହି ରାସ୍ତା କାର୍ଯ୍ୟପାଇଁ ୬୨୨.୪୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୫୨.୫୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ରାସ୍ତାର ୭.୭୯୦ କି.ମି. ପିଚୁ ଓ ୧.୬୧୦ କିମି ପକ୍କା, ୩.୭୫ମିଟର ଚଉଡା କରାଯିବା ସହ ୭ଟି କଲଭର୍ଟ ନିର୍ମାଣ ପାଇଁ ବ୍ୟୟ ବରାଦ କରାଯାଇଛି। ୨,୪୯,୧୧୪ ଘନ ସେମି ମାଟି, ଗ୍ରାନୁଲାର ସବବେସ ୩୨୧୪ଘନ ମିଟର(୫୩୫ ଟ୍ରକ),ମେଟାଲିଂ ୪୧୭୫ ଘନ ମିଟର, ପିଚୁ ସ୍ତର ୧୯୩୪ ଘନ ମିଟର ଓ ୨୦ ମିଲିମିଟର ପ୍ରମିକ୍ସ କାରପେଟ ବ୍ୟବହାର କରି ଏହିରାସ୍ତା ନିର୍ମାଣ କରିବାକୁ ବିଭାଗ ପକ୍ଷରୁ ଠିକାଦାରଙ୍କ ସହ ଚୁକ୍ତିପତ୍ର କରିଛନ୍ତି। କିନ୍ତୁ ବାସ୍ତବ ପକ୍ଷେ ଏହି ଅନୁଯାୟୀ କାର୍ଯ୍ୟ କରାଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ଅସରା ବର୍ଷା ପରେ ନବ ନିର୍ମିତ ରାସ୍ତା ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଗାହାଣ କୁହନ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ଏହି ରାସ୍ତା ତଳେ ପାନୀୟ ଜଳ ପାଇଁ ପାଇପ ବିଛାଯାଇଥିଲା। ସେଥିପାଇଁ ରାସ୍ତା ଦବିଯାଇଛି। ଯେହେତୁ ରାସ୍ତା କାର୍ଯ୍ୟ ତ୍ୱରାନ୍ବିତ ହେଉଛି ସମ୍ପୃକ୍ତ ଠିକାଦାର ଉକ୍ତ କାର୍ଯ୍ୟକୁ ପୁନର୍ବାର କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶନାମା ଜାରି ହୋଇଛି।