କୋକସରା,୨୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। କାର୍ଯ୍ୟ ସମ୍ପାଦନ ହୋଇ ୨ ମାସ ହୋଇ ନ ଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଦବି ଯାଇଥିବା ବେଳେ ରାସ୍ତାକଡରେ ସୂଚନା ନିର୍ଦ୍ଦେଶ ପାଇଁ ରହିଥିବା ଖୁଣ୍ଟ ସବୁ ଭୁଶୁଡି ପଡ଼ିଛି।
ସୂଚନାନୁଯାୟୀ, ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସୂଚନା ଫଳକ ଅନୁସାରେ ପ୍ୟାକେଜ ନମ୍ବର ଓଆର ୧୫/୪୯୪ ଅନୁସାରେ ୩.୨୦ କିମି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଟକଳ ମୂଲ୍ୟ ୧ କୋଟି ୩୮ ଲକ୍ଷ ୧୦ ହଜାର ରହିଥିବା ବେଳେ କାର୍ଯ୍ୟ ସମ୍ପାଦନ କରିବାକୁ ଜ୍ୟୋତିର୍ମୟୀ ସିଂ ଏ ଶ୍ରେଣୀ ଭୁକ୍ତ ଠିକାଦାରଙ୍କୁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଟେଣ୍ଡର ମିଳିଥିଲା। ରାସ୍ତା କାର୍ଯ୍ୟ ସମ୍ପାଦନ ପାଇଁ ୨୪/୮/୨୨ ରୁ ୨୩/୦୫/୨୩ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶ ରହିଥିଲା। ତେବେ ଠିକାସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଥିଲେ ମଧ୍ୟ ଲୋକଙ୍କ ଅଭିଯୋଗ ସତ୍ତ୍ୱେ ମଧ୍ୟ ନିମ୍ନମାନର କାର୍ଯ୍ୟ କରିଥିବା ନେଇ କାର୍ଯ୍ୟ କରିବା ସମୟରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ତେବେ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭିତିରିଆ ସଲାସୁତରା ଥିବାରୁ ଅଧିକାରୀମାନେ ଗୁରୁତ୍ୱ ଦେଇ ନ ଥିଲେ। ଯାହା ଫଳରେ କାର୍ଯ୍ୟର ୨ ମାସ ନ ପୂରୁଣୁ ରାସ୍ତା ଅନେକ ସ୍ଥାନରେ ଦବି ଯାଇଥିବା ଦେଖିବାକୁ ମିଳିଛି। ଏନେଇ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝିଙ୍କ ପ୍ରତିକ୍ରିୟା ନେବାରୁ ଠିକାସଂସ୍ଥାକୁ କହି ମରାମତି କରାଯିବ ବୋଲି ହାଲ୍କା ଭାବରେ କହିଛନ୍ତି।