ଜଳ ନିଷ୍କାସନ ଲାଗି ରାସ୍ତା ଖୋଳିଦେଲେ

ବେତନଟୀ, ୨୧।୮: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇ ପଞ୍ଚାୟତ ଚାକୁଣ୍ଡାପଦାଠାରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ସମୟରେ ହୋମ୍‌ପାଇପ୍‌ କିମ୍ବା କଲ୍‌ଭର୍ଟ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ହେଲେ ଏଥିପ୍ରତି ଗୁରତ୍ୱ ଦିଆ ନ ଯିବାରୁ ପ୍ରତ୍ୟେକବର୍ଷ ବର୍ଷାଜଳ ଗ୍ରାମବାସୀଙ୍କ ଘରେ ପଶୁଥିବା ବେଳେ ନିଷ୍କାସନ ହୋଇପାରୁ ନାହିଁ। ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରେ ଅତିଷ୍ଠ ହୋଇ ଶନିବାର ଲୋକେ ଏହି ରାସ୍ତା ଖୋଳି ଦେଇଛନ୍ତି। ଫଳରେ ଲୋକଙ୍କ ଘର ଭିତରେ ପଶିଥିବା ଜଳ ନିଷ୍କାସନ ହୋଇପାରିଛି।
ଯେ, ୨୦୧୦ରେ ରାସ୍ତା ନିର୍ମାଣ ସମୟରେ ଚାକୁଣ୍ଡାପଦା-ସୁରେଇ ସୀମାନ୍ତରେ ଏକ କଲ୍‌ଭର୍ଟ କିମ୍ବା ହୋମ୍‌ପାଇପ ବସାଇ ବର୍ଷାଜଳ ନିଷ୍କାସନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଥିଲା। ମାତ୍ର ସମ୍ପୃକ୍ତ ଠିକାଦାର ଏବଂ ଯନ୍ତ୍ରୀ ଗ୍ରାମବାସୀଙ୍କ କଥା ଶୁଣି ନ ଥିଲେ। ଏନେଇ ଗ୍ରାମବାସୀ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ପ୍ରତିବର୍ଷ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘରେ ପଶୁଥିବାରୁ ସେମାନେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ଏଣୁ ସେମାନେ ବାଧ୍ୟ ହୋଇ ରାସ୍ତା ଖୋଳି ଦେଇ ବର୍ଷାଜଳ ନିଷ୍କାସନ କରିଥିଲେ। ପରେ ବାଉଁଶ ଦେଇ ରାସ୍ତାକୁ ଅବରୋଧ କରାଯାଇଥିବା ବେଳେ ସେଠାରେ କଲ୍‌ଭର୍ଟ କିମ୍ବା ହୋମ୍‌ପାଇପ୍‌ ବସାଇ ସ୍ଥାୟୀ ସମାଧାନ ନ କଲେ ରାସ୍ତାକୁ ବନ୍ଦ ରଖାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Share